ଓଡ଼ିଶାଲାଇଭ୍ ବ୍ୟୁରୋ

“ଦେଖୁ ଦେଖୁ ଆଖି ଆଗରେ ଅନେକ ଜୀବନ ଚାଲିଗଲା। ଭାଗ୍ୟ ଭଲଥିଲା ମୁଁ ବଞ୍ଚିଗଲି। ଯଦି ଜେନେରାଲ ବଗିରେ ପଶିଥାନ୍ତି, ମୁଁ ଆଜି ନଥାନ୍ତି”, ଏମିତି କହିଛନ୍ତି ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ଉପେନ୍ଦ୍ର ମଲ୍ଲିକ।

ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଯିବା ପାଇଁ ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ ଉପେନ୍ଦ୍ର ମଲ୍ଲିକ। ଭୁବନେଶ୍ୱରରେ ପାଠପଢ଼ୁଥିବା ପୁଅକୁ ଦେଖିବାକୁ ବାହାରିଥିଲେ ବାଲେଶ୍ୱରର ଉପେନ୍ଦ୍ର ମଲ୍ଲିକ। ବାଲେଶ୍ୱର ଷ୍ଟେସନରେ ଜେନେରାଲ ବଗି ପାଇଁ ଟିକେଟ୍ କରିଥିଲି, କିନ୍ତୁ ସେ ବଗିରେ ଭିଡ଼ ଦେଖି ହ୍ୟାଣ୍ଡିକେପଡ୍ ବଗିରେ ଚଢ଼ିଯାଇଥିଲେ ଉପେନ୍ଦ୍ର।

“ବାଲେଶ୍ୱର ଷ୍ଟେସନ ଛାଡ଼ିବାର ମାତ୍ର କିଛି ସମୟ ପରେ ଏକ ଭୟଙ୍କର ଶବ୍ଦ ଶୁଣାଗଲା, ଚାରିଆଡ଼ ଧୂଆଁମୟ ହେଇଗଲା।  କେହି କିଛି ବୁଝିପାରୁ ନଥିଲେ କ’ଣ ହେଲା? ଏହାରି ମଧ୍ୟରେ ଚାରିଆଡ଼ୁ ବିକଳ ଚିତ୍କାର ଶୁଣିବାକୁ ମିଳିଥିଲା। ବଗି ଲେଉଟିବାବେଳେ ଆମେ ସମସ୍ତେ ତଳକୁ ଗଳିପଡ଼ିଲୁ। କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି”, କହିଥିଲେ ଉପେନ୍ଦ୍ର।

ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ଜୀବନ ଚାଲିଗଲା ଏବଂ ୧୨୦୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଉପେନ୍ଦ୍ର। ତାଙ୍କର ଗୋଟିଏ ହାତରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେଃ

ପୂର୍ବରୁ ଏଭଳି ଭୟଙ୍କର ଦୁର୍ଘଟଣା କେବେ ଦେଖି ନାହାନ୍ତି ବୋଲି କହିଛନ୍ତି ବାଲେଶ୍ଵରର ଉପେନ୍ଦ୍ର ମଲ୍ଲିକ।

Tags: #BahanagaTrainTragedy #TrainAccident #TrainAccidentInOdisha #UpendraMallick #Death

Comment