ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଆଡ଼କୁ କ୍ଷୀପ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’। ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଆସନ୍ତା ଜୁନ ୧୫ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ବିପର୍ଯ୍ୟୟ’ ଗୁଜୁରାଟ କଚ୍ଛ ଜିଲ୍ଲାର ମାଣ୍ଡବୀଠାରୁ ଭାରତ-ପାକିସ୍ତାନ ସୀମା ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

‘ବିପର୍ଯ୍ୟୟ’ର ପ୍ରଭାବ ଗୁଜୁରାଟ ବ୍ୟତୀତ, ମୁମ୍ବାଇ, ଗୋଆ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ଉପରେ ପଡ଼ିବାର ସମ୍ଭାବନା ରହିଛି। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏହି ରାଜ୍ୟଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବର୍ତ୍ତମାନ ବାତ୍ୟାର ଗତିପଥ ଗୁଜୁରାଟ ଆଡ଼କୁ ହୋଇଥିବାରୁ କଚ୍ଛ, ଦ୍ଵାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଏବଂ ମୋରି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ ସାକଳ ସୁଦ୍ଧା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ଏବଂ ସୌରାଷ୍ଟ୍ର ଓ କଚ୍ଛ ଅତିକ୍ରମ କରି ଜୁନ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜୁରାଟର ଜଖାଉ ବନ୍ଦର ନିକଟ ମାଣ୍ଡଭୀ (ଗୁଜୁରାଟ) ଏବଂ କରାଚି (ପାକିସ୍ତାନ) ମଧ୍ୟଦେଇ ପାକିସ୍ତାନ ତଟ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋ ମିଟର ବହିବାର ସମ୍ଭାବନା ରହିଛି।

ଜୁନ ୧୫ ତାରିଖକୁ ରେଡ ଓ୍ଵାର୍ଣ୍ଣିଂ ଜାରି

ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଆସନ୍ତା ଜୁନ ୧୫ ତାରିଖରେ ସୌରାଷ୍ଟ୍ର ଏବଂ କଛ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାକୁ ୧୪ ତାରିଖ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବିପର୍ଯ୍ୟୟର ମୁକାବିଲା ପାଇଁ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲାରେ ଏନଡିଆରଏଫର ୭ଟି ଟିମ୍ ମୁତୟନ ହୋଇଛନ୍ତି।

ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କଚ୍ଛର ଦ୍ଵାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଏବଂ ମୋରି ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ଏହା ସହିତ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବାର କଚ୍ଛ ଜିଲ୍ଲାର ତଟୀୟ ଗାଁ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି।

ଗୁଜୁରାଟ, ମୁମ୍ବାଇ, ଗୋଆ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁରେ ଆସନ୍ତା ୧୫ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟ ପକ୍ଷରେ ଯେଉଁମାନେ ସମୁଦ୍ର ମଝିରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

Tags: #Cyclone #Biparjoya #Gujrat #WeatherUpdate

LEAVE A REPLY

Please enter your comment!
Please enter your name here