ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ପୀଠର ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଢେଙ୍କାନାଳ ଜିଲ୍ଲାପାଳ ଦେଇଥିବା ମହିମା ପୀଠ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

ମହିମା ପୀଠର ରୂପାନ୍ତରଣ ପ୍ରକଳ୍ପରେ ଏହି ସ୍ଥାନର ସର୍ବାଙ୍ଗୀନ ବିକାଶ ସହିତ ସାଧୁ ସନ୍ଥ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ। ଏଠାରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପୁଷ୍କରିଣୀର ପୁନରୁଦ୍ଧାର, ମହିମା ସମାଜ ପୀଠର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ବସଷ୍ଟାଣ୍ଡ, ପାଚେରୀ ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଆଦି ନିର୍ମାଣ କରାଯିବ।

ସେହିପରି ପୀଠ ଭିତରେ ରାସ୍ତା ସହିତ ଲାଇଟର ବ୍ୟବସ୍ଥା କରାଯିବ। ଏଠାରେ ଥିବା ବଡ଼ ପୋଖରୀର ପୁନରୁଦ୍ଧାର ସହିତ ପୀଠରେ ୪୦୦ଟି ଗଛ ଲଗାଯିବ। ପୀଠର ସୌନ୍ଦର୍ଯ୍ୟକରଣ ସହିତ ଏହାକୁ ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।

ଏହା ପୂର୍ବରୁ ମେ’ ମାସ ୨୯ ତାରିଖରେ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ମହିମା ପୀଠ ପରିଦର୍ଶନ କରି ସାଧୁସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ରୂପାନ୍ତରଣ ବିଷୟରେ ଆଲୋଚନା କରିଥିଲେ। ୧୫ ଦିନ ଭିତରେ ଏହାର ପ୍ରକଳ୍ପ ରିପୋର୍ଟ ଦେବାକୁ ସେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

Tags: #MahimaAshram #transformation #Dhenkanal

Comment