ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣି ବାତ୍ୟା ‘ବିପର୍ଯ୍ୟୟ’ ଶୁକ୍ରବାର ରାତି ୧୨ଟାରେ ଗୁଜରାଟର ଜଖଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ଗୁଜରାଟର ଉପକୂଳ ସମେତ ବିଭିନ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ପବନ ବହିଥିଲା। ଏଥିରେ ଏହି ଅଞ୍ଚଳର ଅନେକ ଘରର ଛାତ ଉଡ଼ିଯିବା ସହ ଗୁଜରାଟର ହଜାରେରୁ ଅଧିକ ଗାଁରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଛି। ଏବେ ଗୁଜୁରାଟ, ମହାରାଷ୍ଟ୍ର ସମେତ ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

‘ବିପର୍ଯ୍ୟୟ’ ଘୂର୍ଣ୍ଣି ବାତ୍ୟା ପାଇଁ ଗୁଜରାଟ ଭାବନଗରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏ ଯାଏଁ ବିଭିନ୍ନ କାରଣରୁ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ବାତ୍ୟା ପାଇଁ ଅନେକ ପଶୁଙ୍କର ମୃତ୍ୟୁ ହୋଇଛି। ସେହିପରି ଗୁଜରାଟର ବିଭିନ୍ନ ଅଞ୍ଚଳରେ ବାତ୍ୟାରେ ଶତାଧିକ ଗଛ ଉପୁଡ଼ି ପଡ଼ିଛି।

ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ଗୁଜରାଟର ଜଖଉ ପୋର୍ଟ ଅଞ୍ଚଳରେ ଏକାଧିକ ଘରର ଛାତ ଉଡ଼ିଯାଇଛି। ଲ୍ୟାଣ୍ଡଫଲ୍ ବେଳେ ଏହି ଅଞ୍ଚଳରେ ପବନର ପରିମାଣ ସବୁଠୁ ଅଧିକ ରହିଥିଲା। ଏଠାରୁ ଅନେକ ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ଏହାଛଡ଼ା ଗୁଜରାଟର କଚ୍ଛ, ଦ୍ଵାରକା, ଜାମନଗର, ପୋରବନ୍ଦର, ଜୁନାଗଡ଼ ଓ ରାଜକୋଟ ଆଦି ଅଞ୍ଚଳର ହଜାରେରୁ ଅଧିକ ଗାଁରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଏହି ସବୁ ଅଞ୍ଚଳରେ ଅନେକ ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବାତ୍ୟା ପାଇଁ ଗୁଜରାଟରେ ପଶ୍ଚିମ ରେଳପଥ ପକ୍ଷରୁ ୧୦୦ଟି ଟ୍ରେନ ବାତିଲ କରାଯାଇଛି।

ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ୧୭ଟି ଏନଡିଆରଏଫ୍ ଏବଂ ୧୨ଟି ଏସଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି। ସେମାନେ ଗୁଜରାଟର ବିଭିନ୍ନ ଅଞ୍ଚଳରେ ପହଞ୍ଚି ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ହଟାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଏହାଛଡ଼ା ବିଏସଏଫ ଓ ଭାରତୀୟ ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ଲୋକଙ୍କ ପାଖକୁ ରିଲିଫ ସାମଗ୍ରୀ ପଠାଯାଉଛି।

ଏବେ ବାତ୍ୟା ବିପର୍ଯ୍ୟୟ ଉତ୍ତର-ପୂର୍ବ ଦିଗକୁ ଯାଇ ରାଜସ୍ଥାନ ଆଡ଼କୁ ଗତି କରୁଛି। ଏବେ ଏଥିରେ ଜାରି ରହିଥିବା ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିଛି। ଶୁକ୍ରବାର ସନ୍ଧ୍ୟାବେଳେକୁ ଏହା ଦକ୍ଷିଣ ରାଜସ୍ଥାନ ପହଞ୍ଚିବା ସହ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #BIPARJOY #VerySevereCyclonicStorm #GujratCoast #IMDIndia

 

Comment