ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଅତି ନିକଟତର ହୋଇଛି। ଗୁରୁବାର ସନ୍ଧ୍ୟାରେ ଏହା ଗୁଜରାଟର କଚ୍ଛ ଜିଲ୍ଲାର ଜଖଉ ବନ୍ଦର ନିକଟରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଏହି ବାତ୍ୟା ‘ବିପର୍ଯ୍ୟୟ’ ଜଖଉ ବନ୍ଦରଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିଲୋମିଟର ଦୂରରେ ରହିଛି। ଏହି ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଥିବା ବେଳେ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚ ଜୁଆର ଆସିବାର ଆଶଙ୍କା କରାଯାଉଛି।

ଏହାର ପ୍ରଭାବରେ ଗୁଜରାଟର ସୌରାଷ୍ଟ୍ର, ଦ୍ଵାରକା, ପୋରବନ୍ଦର, ଜୁନାଗଡ଼ ଆଦି ସ୍ଥାନରେ ଏବେଠୁ ୧୨୦ କିଲୋମିଟର ବେଗରେ ପବନ ହେବାର ଆରମ୍ଭ ହୋଇଛି। ଏଥିପାଇଁ ଏହି ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଛି। ଲ୍ୟାଣ୍ଡଫଲ ହେବାପରେ ବାତ୍ୟା ସାମାନ୍ୟ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟର ଉପକୂଳ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପାଇଁ ଗୁଜରାଟରେ ଏନଡିଆରଏଫର ୧୭ଟି ଟିମ୍ ସହ ୧୨ଟି ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି। ଏହାଛଡ଼ା ବାୟୁସେନା, ନୌସେନା ଓ ତଟରକ୍ଷୀ ବାହିନୀର ଯବାନମାନଙ୍କୁ ଆଲର୍ଟ ରଖାଯାଇଛି।

Tags: #BIPARJOY #VerySevereCyclonicStorm #GujratCoast #IMDIndia

 

LEAVE A REPLY

Please enter your comment!
Please enter your name here