ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେଇଛି। ବାତ୍ୟା ‘ନିସର୍ଗ’ ଏବେ ମୁମ୍ବାଇ ଉପକୂଳରୁ ୪୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୧ କିଲୋମିଟର ବେଗରେ ବାତ୍ୟା ମୁମ୍ବାଇ ଉପକୂଳ ଆଡକୁ ମାଡ଼ି ଆସୁଛି। ବାତ୍ୟା ଯେତିକି ନିକଟତର ହେଉଛି ମୁମ୍ବାଇରେ ସେତିକି ଭୟ ବଢ଼ୁଛି। ଏବେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପବନ ସାଙ୍ଗ ବର୍ଷା ଆରମ୍ଭ ହୋଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମୁଦ୍ର ଉପକୂଳ ଅଞ୍ଚଳରେ ଏନଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ବାତ୍ୟା ପାଇଁ ମହାରାଷ୍ଟ୍ର, ଗୁଜରାଟ, ଗୋଆ, ଡାମନ ଡିଉ ଏବଂ ଦାଦରା ନଗର ହାବେଳୀରେ ସତର୍କ ସୂଚନା ଜାରି କରାଯାଇଛି।

ମୁମ୍ବାଇ ଏବଂ ପାଖ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏନଡିଆର୍‌ଏଫ୍‌ର ୧୦ଟି ଟିମକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି। ବାତ୍ୟା ପ୍ରଭାବରେ ଆଜି ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତାକାଲି ପବନର ବେଗ ଘଣ୍ଟାକୁ ୧୨୫ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଅଞ୍ଚଳରେ ୩ ଓ ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରତ, ଭରୁଚ, ନବସାରୀ, ବଲସାଡ, ଦାଙ୍ଗ, ସୌରାଷ୍ଟ୍ର, ଭାବନଗର, ଅମରେଲି ଜିଲ୍ଲାରେ ୧୦ଟି ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି।

Comment