ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ଭୂମିକମ୍ପ ପାଇଁ ଧ୍ଵଂସସ୍ତୂପରେ ପରିଣତ ହୋଇଛି ତୁର୍କୀ ଓ ସିରିଆ। ଏ ପର୍ଯ୍ୟନ୍ତ ଦୁଇ ଦେଶରେ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ଏହି ଦୁଇ ଦେଶରେ ଭାରତ ତରଫରୁ ଜାରି ରହିଛି ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’। ଭାରତ ସେଠାକୁ ଅନେକ ପରିମାଣରେ ରିଲିଫ ସାମଗ୍ରୀ ପଠାଇ ସରିଲାଣି। ଏହାଛଡା ଏନଡିଆରଏଫ ଓ ଭାରତୀୟ ସେନାର ଯବାନମାନେ ଭୂମିକମ୍ପରେ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି। ଭାରତୀୟ ବିଦେଶ ମନ୍ତ୍ରାଳୟ ଏହି ସବୁ କାର୍ଯ୍ୟର ତଦାରଖ କରୁଛି।

ଭାରତ ଏ ମଧ୍ୟରେ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ଯୋଗେ ୭ଥର ତୁର୍କୀ ଓ ସିରିଆକୁ ରିଲିଫ ସାମଗ୍ରୀ ପଠାଇ ସରିଲାଣି। ରବିବାର  ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ପ୍ରାୟ ୭ କୋଟି ଟଙ୍କାର ବିଭିନ୍ନ ମେଡିକାଲ ଉପକରଣ ଓ ଔଷଧ ଏହି ଦୁଇ ଦେଶକୁ ପଠା ଯାଇଛି।

ଅନ୍ୟପକ୍ଷରେ ଏନଡିଆରଏଫ ଓ ଭାରତୀୟ ସେନାର ଉଦ୍ଧାରକାର୍ଯ୍ୟକୁ ତୁର୍କୀର ଲୋକେ ପ୍ରଶଂସା କରୁଛନ୍ତି। ସେମାନଙ୍କୁ ସେଠାକାର ପ୍ରଶାସନ ଓ ଜନସାଧାରଣଙ୍କ ତରଫରୁ ଯଥେଷ୍ଟ ସମର୍ଥନ ମିଳୁଛି। ଘରର ଭଗ୍ନାବଶେଷରୁ ଜୀବନ୍ତ ଅବସ୍ଥାରେ ଶିଶୁ ଓ ବଡ଼ମାନଙ୍କୁ ଉଦ୍ଧାର କରିବାରେ ବେଶ୍  ସଫଳ ହୋଇଛନ୍ତି ଭାରତୀୟ ଉଦ୍ଧାରକାରୀ ଦଳ।

ଭାରତ ଭୂମିକମ୍ପ ହେବାର ୨୪ ଘଣ୍ଟା ମଧ୍ୟରେ ତୁର୍କୀକୁ ଏନଡିଆରଏଫର ପ୍ରଥମ ଦଳ ପଠାଇ ଥିଲା। ସେମାନଙ୍କ ସହ ଭାରତୀୟ ସେନାର ମେଡିକାଲ ଦଳ ମଧ୍ୟ ତୁର୍କୀରେ ଫିଲ୍ଡ ହସ୍ପିଟାଲ ନିର୍ମାଣ କରିଛି। ପ୍ରତିଦିନ ଏହି ହସ୍ପିଟାଲରେ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି। ଆଗକୁ ଏହି ଅଭିଯାନରେ ତୁର୍କୀ ଓ ସିରିଆକୁ ଆହୁରି ସହାୟତା ଦିଆଯିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଫେବ୍ରୁଆରି ୬ ତାରିଖରେ ତୁର୍କୀର ମଧ୍ୟ ଓ ଦକ୍ଷିଣ-ପୂର୍ବ ଭାଗରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୪୦ ଘଣ୍ଟା ମଧ୍ୟରେ ଆଉ ୪ଟି ଭୂମିକମ୍ପରେ ଥରିଥିଲା ସମଗ୍ର ତୁର୍କୀ ଓ ସିରିଆ।

Tags: #Earthquake #Turkey #Syria #OperationDost #Rescuework #NDRF #MedicalTeam #MinistryofExternalaffairs #India

LEAVE A REPLY

Please enter your comment!
Please enter your name here