ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ବଡ଼ ଅଘଟଣ ଘଟିଛି। ରବିବାର ଏହି ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏଥିରେ କାମ କରୁଥିବା ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି।

ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ସମେତ ବର୍ଡର ରୋଡ ଅର୍ଗାନାଇଜେସନର (ବିଆରଓ) ଯବାନମାନେ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଶ୍ରମିକମାନଙ୍କ ସହ ସମ୍ପର୍କ କରାଯାଇଛି ଏବଂ ସମସ୍ତେ ସୁରକ୍ଷିତ ଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।

ଶ୍ରମିକମାନେ ସୁଡ଼ଙ୍ଗର ୨୭୦ ମିଟର ଭିତରେ ଫସିଛନ୍ତି। ସେମାନଙ୍କ ପାଖକୁ ପାଇପ ଯୋଗେ ପାଣି ଓ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏବେ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ୨୨୦ ମିଟରେ ପହଞ୍ଚିଥିବାବେଳେ ଆହୁରି ୩୦ରୁ ୪୦ ମିଟର ଭିତରକୁ ସେମାନେ ଯିବେ। ସୁଡ଼ଙ୍ଗର ଭଗ୍ନାବଶେଷରୁ ମାଟି ହଟାଇବା ପାଇଁ ବଡ଼ ବଡ଼ ଖନନକାରୀ ଯନ୍ତ୍ର ନିୟୋଜିତ କରାଯାଇଛି।

ଅନ୍ୟପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୋମବାର ସକାଳେ ଘଟଣାସ୍ଥଳର ପରିଦର୍ଶନ କରି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନକୁ ତ୍ଵରାନ୍ଵିତ କରାଯିବ ବୋଲି ସେ କହିଛନ୍ତି।

ଉତ୍ତରାଖଣ୍ଡର ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଛି। ଏଥିରେ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ରବିବାର କାମ ଚାଲୁଥିବାବେଳେ ଏହାର ଏକ ଅଂଶ ଭୁଷୁଡ଼ି ଯାଇଥିଲା। ଫଳରେ କାମ କରୁଥିବା ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫସି ଯାଇଥିଲେ।  

Tags: #Uttarakhand #TunnelTragedy #Workers #RescueWork #NDRF #India      

Comment