ଓଡ଼ିଶାଲାଇଭ୍ ବ୍ୟୁରୋ

ତୁର୍କୀରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ଵଂସ ହୋଇଛି ଅନେକ ସହର। ଏଥିରେ ପ୍ରାୟ ୪୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେବି ଘର ଗୁଡ଼ିକର ଭଗ୍ନାବଶେଷରେ ଫସି ରହିଛନ୍ତି ଅନେକ ଲୋକ। ତୁର୍କୀ ସେନାର ଯବାନ ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଭାରତରୁ ୨ଟି ଏନଡିଆରଏଫ୍ ଦଳ ତୁର୍କୀ ଯାଇଛନ୍ତି। ଏଥିରେ ୧୦୧ ଜଣ ଉଦ୍ଧାରକାରୀ ସାମିଲ ଅଛନ୍ତି। କୋଲକାତାସ୍ଥିତ ଏନଡିଆରଏଫ୍ ୨ୟ ବାଟାଲିଅନର ମୁଖ୍ୟ ଗୁରମିନ୍ଦର ସିଂହ ଏହି ଦଳର ନେତୃତ୍ୱ ନେଇଛନ୍ତି।

ଏନଡିଆରଏଫର ପ୍ରଥମ ଦଳ ମଙ୍ଗଳବାର ସକାଳେ ତୁର୍କୀର ଆଦାନା ବିମାନବନ୍ଦରରେ ପହଞ୍ଚିଛି। ଦ୍ଵିତୀୟ ଦଳ ଅପରାହ୍ଣରେ ତୁର୍କୀରେ ପହଞ୍ଚିବ। ଏହି ଦୁଇ ଦଳରେ ୫ ଜଣ ମହିଳା କର୍ମୀ ମଧ୍ୟ ସାମିଲ ଅଛନ୍ତି। ଏହାଛଡ଼ା ସନ୍ଧାନୀ କୁକୁର ଓ ମେଡିକାଲ ଟିମ୍ ଏହି ଦଳ ସହ ତୁର୍କୀ ଯାଇଛନ୍ତି। ଭାରତୀୟ ବାୟୁ ସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ଏନଡିଆରଏଫ ଦଳଙ୍କୁ ନେଇ ଯାତ୍ରା କରିଛି।

ତୁର୍କୀରେ ପହଞ୍ଚି ଏନଡିଆରଏଫ ଦଳ ସେଠାରେ ଥିବା ଭାରତୀୟ ଦୂତାବାସ ଓ ତୁର୍କୀର ଅଧିକାରୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ କରିବେ। ଏନଡିଆରଏଫ୍ ଦଳ ନିଜ ସହ ଅନେକ ରିଲିଫ୍ ସାମଗ୍ରୀ, ମେଡିକାଲ ସରଞ୍ଜାମ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି।

ଭାରତ ସରକାର ତୁର୍କୀରେ ହୋଇଥିବା ଭୂମିକମ୍ପରେ ଉଦ୍ଧାର କାର୍ଯ୍ୟ ଲାଗି ସବୁ ପ୍ରକାର ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀର ରାଷ୍ଟ୍ରପତି ରିସେପ୍ ତାୟିପ ଏରଦୋଗାନଙ୍କ ସହ ଆଲୋଚନା କରିଛନ୍ତି।

ସୋମବାର ତୁର୍କୀର ମଧ୍ୟ ଓ ଦକ୍ଷିଣ-ପୂର୍ବ ଭାଗରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୨୪ ଘଣ୍ଟା ମଧ୍ୟରେ ଆଉ ୩ଟି ଭୂମିକମ୍ପରେ ଥରିଥିଲା ସମଗ୍ର ତୁର୍କୀ ଓ ସିରିଆ। ତୁର୍କୀର ଗାଜିଏନ୍ଟେପ ସହରରୁ ୩୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

Tags: #Earthquake #Turkey #NDRFteam #Rescuework #Gaziantep #NDRF #India

Comment