ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସ୍ଥିତି ଅତି ଭୟଙ୍କର ହୋଇଛି। ଭୂମିକମ୍ପ ଯୋଗୁଁ ଏହି ଦୁଇଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଥିବାବେଳେ ହଜାର ହାଜର ଲୋକ ଏବେବି ବିଭିନ୍ନ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଏହି ମହାସଙ୍କଟର ମୁକବିଲାରେ ସହାୟତା କରିବା ଲାଗି ତୁର୍କୀ ସରକାର ଅନେକ ଦେଶଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ତୁର୍କୀ ଓ ସିରିଆର ସହାୟତା ପାଇଁ ଆଗେଇ ଆସିଛନ୍ତି। ଭାରତ ସରକାରଙ୍କ ତରଫରୁ ‘ଅପରେସନ ଦୋସ୍ତ’ ନାମରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଭିଯାନରେ ଭାରତ ସରକାର ବିଭିନ୍ନ ରିଲିଫ୍ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ମେଡିକାଲ ଉପକରଣ ତୁର୍କୀ ଓ ସିରିଆକୁ ପଠାଇଛନ୍ତି। ଏହାଛଡ଼ା ତୁର୍କୀରେ ଉଦ୍ଧାରକାର୍ଯ୍ୟ ପାଇଁ ଭାରତରୁ ୧୫୦ରୁ ଅଧିକ ସଦସ୍ୟ ବିଶିଷ୍ଟ ୩ଟି ଏନଡିଆରଏଫ ଟିମ୍ ଯାଇଛନ୍ତି। ଭାରତ ୧୦୮ ଟନର ରିଲିଫ୍ ସାମଗ୍ରୀ ତୁର୍କୀକୁ ପଠାଇ ସରିଲାଣି।

ବୁଧବାର ୯୯ ସଦସ୍ୟ ବିଶିଷ୍ଟ ଭାରତୀୟ ସେନାର ଏକ ମେଡିକାଲ ଟିମ୍ ମଧ୍ୟ ତୁର୍କୀ ଗସ୍ତ କରିଛନ୍ତି। ତୁର୍କୀରେ ଭାରତ ପକ୍ଷରୁ ୩୦ ଶଯ୍ୟା ବିଶିଷ୍ଟ ଏକ ଫିଲ୍ଡ ହସ୍ପିଟାଲ ମଧ୍ୟ କରାଯାଇଛି।

ଭାରତ ‘ଅପରେସନ ଦୋସ୍ତ’ ମାଧ୍ୟମରେ ୬ ଟନର ରିଲିଫ୍ ସାମଗ୍ରୀ ସିରିଆକୁ ପଠାଇଛି। ବୁଧବାର ଭାରତୀୟ ବାୟୁସେନାର ବିମାନ ରିଲିଫ୍ ସାମଗ୍ରୀ ନେଇ ସିରିଆର ଦମାସ୍କସ ବିମାନବନ୍ଦରରେ ପହଞ୍ଚିଛି।

ସୋମବାର ତୁର୍କୀର ମଧ୍ୟ ଓ ଦକ୍ଷିଣ-ପୂର୍ବ ଭାଗରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୪୦ ଘଣ୍ଟା ମଧ୍ୟରେ ଆଉ ୪ଟି ଭୂମିକମ୍ପରେ ଥରିଥିଲା ସମଗ୍ର ତୁର୍କୀ ଓ ସିରିଆ। ତୁର୍କୀର ଗାଜିଏନ୍ଟେପ ସହରରୁ ୩୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

Tags: #Earthquake #Turkey #Syria #OperationDost #Rescuework #NDRF #MedicalTeam #Gaziantep #MinistryofExternalaffairs #India

LEAVE A REPLY

Please enter your comment!
Please enter your name here