ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ସିରିଜ ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀ ଶନିବାର ଦିନ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବିହାରର ସୋହେଲ ମନସୁର। ସୋହେଲ କଟକ ଏସସିବି ମେଡିକାଲରେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ବର୍ତ୍ତମାନ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି।

ଏହା ପୂର୍ବରୁ ଶୁକ୍ରବାର ଦିନ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବିହାରର ପ୍ରକାଶ ରାମଙ୍କର ମୃତ୍ୟୁ ହୋଇଥିଲା। ଜୁନ ୧୩ ତାରିଖରେ ମଧ୍ୟ ଆଉ ଜଣେ ଆହତ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତି ହେଉଛନ୍ତି ବିହାରର ବିଜୟ ପାଶୱାନ। ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ସିରିଜ ରେଳ ଦୁର୍ଘଟଣା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୮୮ ଜଣ ଯାତ୍ରୀ ଏବଂ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିଛି ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ବର୍ତ୍ତମାନ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Tags: #BahanagaTrainTragedy #Death #TrainAccident #OdishaTrainAccident

Comment