ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ମଙ୍ଗଳବାର ପୁରୀରେ ମାତ୍ରାଧିକ ଖରା ଓ ଗୁଳୁଗୁଳିର ସତ୍ତ୍ୱେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଗରମରେ ହଇରାଣ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ବିଶେଷ ଉତ୍ସାହ ରହିଥିବାର ଦେଖିବାକୁ ମିଳିଛି। ମଙ୍ଗଳବାର ପୁରୀରେ ଏହିଭଳି ଉଷ୍ମ ଓ ଆର୍ଦ୍ର ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀରେ ମଙ୍ଗଳବାର ଆକାଶ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଅଧିକ ରହିଛି। ସେହିପରି ସହରର ଆର୍ଦ୍ରତା ୬୯ ପ୍ରତିଶତ ରହିଥିବାରୁ ପ୍ରବଳ ଗୁଳୁଗୁଳି ହେଉଥିବାର ଦେଖିବାକୁ ମିଳିଛି। ଖରା ଓ ଗୁଳୁଗୁଳିକୁ ଖାତିର ନକରି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଖରାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅଧିକ ପରିମାଣରେ ପାନୀୟ ଦ୍ରବ୍ୟ ଗ୍ରହଣ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ପୁରୀରେ ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସହରରେ ଦକ୍ଷିଣପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ୧୦ ରୁ ୧୨ କିଲୋମିଟର ବେଗରେ ପବନ ହେଉଛି। ସେହିପରି ସକାଳ ୮ଟା ୩୦ରେ ପୁରୀର ତାପମାତ୍ରା ୩୩.୪ ଡିଗ୍ରୀ ରହିଥିବାବେଳେ ୭୬ ପ୍ରତିଶତ ଆର୍ଦ୍ରତା ରେକର୍ଡ କରଯାଇଥିଲା।

ଅନ୍ୟପଟେ ଗରମରୁ ରକ୍ଷା ପାଇବା ପାଇଁ ବଡ଼ଦାଣ୍ଡରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। କେତେକ ସ୍ଥାନରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ତରଫରୁ ଭକ୍ତମାନଙ୍କୁ ଜଳ ଓ ଅନ୍ୟାନ୍ୟ ପାନୀୟ ବିତରଣ କରାଯାଉଛି। ଏହାଛଡ଼ା ଅନେକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି।

Tags: #RathaJatra2023 #Weather #Puri #BadaDanda #MCBBSR

 

Comment