ଓଡ଼ିଶାଲାଇଭ୍ ବ୍ୟୁରୋ

ଦୃଷ୍ଟିବାଧିତ ଆଇବିଏସ୍ ବିଶ୍ଵ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାରୁ ୩ ଜଣ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ମହମ୍ମଦ ଜାଫର ଇକ୍‌ବାଲ, ପଙ୍କଜ ଭୁଏ ଏବଂ ନକୁଳ ବଡ଼ନାୟକ।

ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ (କାବି) ପକ୍ଷରୁ ଗୁରୁବାର ଏହି ସ୍କ୍ଵାଡ୍ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡ଼ା ମହାସଂଘ (ଆଇବିଏସ୍) ପକ୍ଷରୁ ଓ୍ଵାର୍ଲ୍ଡ ଗେମସ୍ ୨୦୨୩ ଆୟୋଜିତ ହେବାକୁ ଯାଉଛି। ଚଳିତ ଅଗଷ୍ଟ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଏହି ଗେମସ୍ ଅନୁଷ୍ଠିତ ହେବ। ତେବେ ଆଇବିଏସ୍ ଓ୍ଵାର୍ଲ୍ଡ ଗେମସ୍‌ରେ ପ୍ରଥମଥର ଲାଗି ଚଳିତଥର କ୍ରିକେଟ୍‌କୁ ସାମିଲ କରାଯାଇଛି।

ଆଇବିଏସ୍ ଓ୍ଵାର୍ଲ୍ଡ ଗେମସ୍ ପାଇଁ ଜୁନ୍ ୧୪ ତାରିଖରେ କାବି ପକ୍ଷରୁ ୧୬ ଜଣିଆ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ଘୋଷଣା କରାଯାଇଥିଲା।

ନିକଟରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଟି୨୦ ବିଶ୍ଵକପ୍ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ବିଶ୍ଵକପ୍ ଟିମ୍‌ରେ ଓଡ଼ିଶାରୁ ଜଣେ ଖେଳାଳି ନକୁଳ ବଡ଼ନାୟକ ସାମିଲ ଥିଲେ। ତେବେ ଆସନ୍ତା ଆଇବିଏସ୍ ଓ୍ଵାର୍ଲ୍ଡ ଗେମସ୍‌ ପାଇଁ ଭାରତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ପୁଣିଥରେ ଜାତୀୟ ଦଳକୁ ଓଡ଼ିଶାର ଏଭିଜ୍ଞ ଦୃଷ୍ଟିବାଧିତ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଯୁବ ଖେଳାଳି ନକୁଳ ମଧ୍ୟ ଭଲ ଫର୍ମରେ ଥିବା ଦେଖିବାକୁ ମିଳୁଛି। ତେଣୁ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍ ଭଲ ରହିବା ନେଇ କ୍ରୀଡ଼ା ସମୀକ୍ଷକମାନେ ଆକଳନ କରିଛନ୍ତି।ଆଇବିଏସ୍ ଓ୍ଵାର୍ଲ୍ଡ ଗେମସ୍ ଲାଗି ବେଙ୍ଗାଳୁରୁଠାରେ ଭାରତୀୟ ଦଳର ଅଭ୍ୟାସ ଖୁବଶୀଘ୍ର ଆରମ୍ଭ ହେବା ନେଇ କାବିର ସଭାପତି ମହନ୍ତେଶ ଜି. କିଭାଦାସାନ୍ନାଭାର ଗଣମାଧ୍ମକୁ ସୂଚନା ଦେଇଛନ୍ତି।

Tags:#IBSAWorldGames2023 #IndianBlindCricketTeam #JafarIqbal #PankajBhue #NakulaBadanayak #CricketAssociationfortheBlindinIndia #CABI #CAVIOdisha

Comment