ବିଶ୍ଵଜିତ ସାହୁ

ନକୁଳ ବଡ଼ନାୟକ। ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରୁ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ୨୦୨୨ରେ ହୋଇଥିବା ଟି୨୦ ଦୃଷ୍ଟିହୀନ କ୍ରିକେଟ ବିଶ୍ଵକପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ସାମିଲ ହୋଇଥିଲେ ଓଡ଼ିଆ ପୁଅ ନକୁଳ। ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ସେ ତାଙ୍କ କ୍ରିକେଟ ଜୀବନ ଏବଂ ବିଶ୍ଵକପ ଖେଳିବାର ବିଶେଷ ଅନୁଭୂତି ବାଣ୍ଟିଛନ୍ତି।

ପ୍ରଥମଥର ବିଶ୍ଵକପ୍ ଖେଳି ଖୁସି

ଟି୨୦ ଦୃଷ୍ଟିହୀନ କ୍ରିକେଟ ବିଶ୍ଵକପରେ ଭାରତ ଲଗାତାର ତିନିଥର ଚାମ୍ପିୟନ ହୋଇଛି। ପ୍ରଥମେ ୨୦୧୨, ଦ୍ଵିତୀୟରେ ୨୦୧୭ ଏବଂ ତୃତୀୟରେ ୨୦୨୨ରେ ବିଶ୍ଵକପ୍ ହାତେଇଛି ଟିମ୍ ଇଣ୍ଡିଆ। ୨୦୨୨ରେ ଭାରତରେ ଆୟୋଜିତ ଟି୨୦ ବିଶ୍ଵକପରେ ଭାରତୀୟ ଦଳରୁ ଖେଳିଥିଲେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ। ଏହାଥିଲା ତାଙ୍କ କ୍ରିକେଟ ଜୀବନର ପ୍ରଥମ ବିଶ୍ଵକପ୍।

“ପ୍ରଥମଥର ଲାଗି ମତେ ବିଶ୍ଵକପ୍ ଖେଳିବାର ସୁଯୋଗ ମିଳିଲା। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବି ବୋଲି କେବେ ଭାବିନଥିଲି। ସବୁଠୁ ଖୁସିର କଥା ହେଉଛି ଆମ ଟିମ୍ ପୁଣିଥରେ ଦେଶ ପାଇଁ ବିଶ୍ଵକପ୍ ଜିତିଲା। ଦେଶର ଏହି ଗୌରବମୟ ସମୟରେ ମୋର ଭାଗିଦାରୀ ଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ନକୁଳ ବଡ଼ନାୟକ।

ସେ ଆହୁରି କହିଛନ୍ତି, “ଯେତେବେଳେ ଟି୨୦ ବିଶ୍ଵକପ୍ ଟିମ୍ ପାଇଁ ମୋର ସିଲେକ୍ସନ ହେଲା ଘର ଲୋକଙ୍କୁ ଏହି ଖୁସି ଖବର ଦେଇପାରିନଥିଲି। କାରଣ ଆମ ଗାଁରେ ନେଟଓ୍ଵାର୍କ ନାହିଁ। ମଧ୍ୟପ୍ରଦେଶର ଭୋପାଳ କ୍ୟାମ୍ପରୁ ସିଲେକ୍ସନ ହେଲା। ସେଠାରୁ ଫେରିବା ପରେ ଘରକୁ ଯାଇ ବାପା-ମା’ଙ୍କୁ ଏ ଖୁସି ଖବର ଦେଇଥିଲି।”ଦୁର୍ଘଟଣାରେ ଚାଲିଗଲା ଦୃଷ୍ଟିଶକ୍ତି

କୋରାପୁଟ ଜିଲ୍ଲା ପିପଳପୁଟ ଗାଁର ଏକ ଗରିବ ପରିବାରରେ ନକୁଳଙ୍କ ଜନ୍ମ। ମାଛକୁଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୁଏ ତାଙ୍କ ପାଠପଢ଼ା। ପିଲାବେଳେ ନକୁଳଙ୍କ ଦୃଷ୍ଟିଶକ୍ତି ଥିଲା। ହେଲେ ୨୦୦୮ ମସିହାର ଏକ ଦୁର୍ଘଟଣା ସବୁକିଛି ବଦଳେଇଦେଲା।

“ଖରାଛୁଟିରେ ଘରକୁ ଆସିଥିଲି। ଚାଷ କାମରେ ସାହାଯ୍ୟ କରିବାକୁ ବାପାଙ୍କ ସହ ବିଲକୁ ଯାଇଥିଲି। ବିଲରେ କାମ କରିବା ସମୟରେ ଏକ ଦୁର୍ଘଟଣା ଘଟିଲା। ଗୋଟେ ବାଡ଼ି ଭାଙ୍ଗି ମୋ ଆଖିରେ ପଶିଗଲା। ଟଙ୍କା ଅଭାବରୁ ପ୍ରଥମେ ଦୁଇଦିନ ଘରେ ଚିକିତ୍ସା ହେଲା। ହେଲେ ଆଖିର କ୍ଷତ ଅଧିକ ବଢ଼ିବାରୁ ବାପା ସରକାରୀ ଡାକ୍ତରଖାନା ନେଇଗଲେ। ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ଆଖି ଭଲ ହେଲା ନାହିଁ। ତେଣୁ ମୋର ଗୋଟିଏ ଆଖି ନଷ୍ଟ ହୋଇଗଲା। ସେତେବେଳକୁ ଏହାର ପ୍ରଭାବରେ ଅନ୍ୟ ଆଖିର ଦୃଷ୍ଟିଶକ୍ତି ବି ଅଧା କମିଗଲା”, କହିଛନ୍ତି ନକୁଳ ବଡ଼ନାୟକ।

କ୍ରିକେଟ୍ କ’ଣ ଜାଣିନଥିଲି

ଦୃଷ୍ଟିଶକ୍ତି ହରାଇବା ପରେ ନକୁଳ କୋରାପୁଟ ଜିଲ୍ଲା ସ୍ଥିତ ବ୍ରେଲ୍ ବିଦ୍ୟାଳୟରେ ପୁଣିଥରେ ପ୍ରଥମ ଶ୍ରେଣୀରୁ ନିଜର ପାଠପଢ଼ା ଆରମ୍ଭ କଲେ। ପ୍ରଥମରୁ ତାଙ୍କର ଖେଳକୁଦରେ ଏତେ ଆଗ୍ରହ ନଥିଲା। ହେଲେ ସ୍କୁଲରେ ଅନ୍ୟ ସାଙ୍ଗମାନେ ବିଭିନ୍ନ ଖେଳ ଖେଳୁଥିବାରୁ ପରବର୍ତ୍ତୀ ସମୟରେ ତାଙ୍କ ମନ ମଧ୍ୟ କ୍ରୀଡ଼ା ଆଡ଼କୁ ଟାଣି ହୋଇଥିଲା। ସ୍କୁଲର ପିଇଟି ଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ନକୁଳଙ୍କୁ କ୍ରିକେଟ୍ ଖେଳିବା ଲାଗି ଉତ୍ସାହିତ କରିଥିଲେ। ପଟ୍ଟନାୟକ ସାର୍‌ଙ୍କଠୁ ତାଲିମ ପାଇ ଦୃଷ୍ଟିହୀନ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ନକୁଳ।

କ୍ରିକେଟ ଖେଳରେ ତାଙ୍କ ପ୍ରଦର୍ଶନ ଭଲ ରହୁଥିଲା। ତେଣୁ ୨୦୧୨ ମସିହାରେ ପ୍ରଥମେ ତାଙ୍କୁ କୋରାପୁଟ ଜିଲ୍ଲା ଦୃଷ୍ଟିହୀନ କ୍ରିକେଟ ଦଳ ତରଫରୁ ଖେଳିବାର ସୁଯୋଗ ମିଳିଥିଲା। ସେଠାରେ ମଧ୍ୟ ସେ ବେଶ୍ ଭଲ ପ୍ରଦର୍ଶନ କରିବାରୁ ପରେ ୨୦୧୪ ମସିହାରେ ଓଡ଼ିଶା ଦଳରେ ତାଙ୍କର ଚୟନ ହେଲା।ବାପା ଭାଙ୍ଗି ଦେଇଥିଲେ ମୋ କ୍ରିକେଟ ବ୍ୟାଟ୍

ନକୁଳଙ୍କ ବାପା ଚାହୁଁନଥିଲେ କି ସେ କ୍ରିକେଟ ଖେଳନ୍ତୁ। କାରଣ କ୍ରିକେଟ ଖେଳରେ ଯଦି କିଛି ଦୁର୍ଘଟଣା ଘଟିଲା ତେବେ ଯେଉଁ ଗୋଟିଏ ଆଖିରେ ସ୍ଵଳ୍ପ ଦୃଷ୍ଟିଶକ୍ତି ରହିଛି ତାହା ବି ନଷ୍ଟ ହେବାର ଡର ଥିଲା। ତେଣୁ ନକୁଳଙ୍କୁ କ୍ରିକେଟ ଖେଳିବାକୁ ତାଙ୍କ ବାପା ବାରଣ କରୁଥିଲେ। ହେଲେ ନକୁଳଙ୍କ ଜିଦ୍ ଆଗରେ ପରେ ସେ ରାଜି ହୋଇଥିଲେ।

ଥରେ ନକୁଳ ଗୋଟିଏ କ୍ରିକେଟ ବ୍ୟାଟ୍ କିଣିଦେବାକୁ ବାପାଙ୍କୁ କହିଥିଲେ। ପୁଅର ଇଚ୍ଛା ଦେଖି ବାପା ମଧ୍ୟ ନିଜ ସ୍ଵଳ୍ପ ରୋଜଗାରରୁ କିଛି ସଞ୍ଚୟ କରି ୧୨ଶହ ଟଙ୍କା ଦେଇ ଗୋଟିଏ ବ୍ୟାଟ୍ ଆଣିଥିଲେ। ହେଲେ ନକୁଳଙ୍କୁ ସେ ବ୍ୟାଟ୍ ପସନ୍ଦ ଆସିନଥିଲା। ଆଉଟିକେ ଭଲ ଏବଂ ବଡ଼ ବ୍ୟାଟ୍ ଆଣିବାକୁ ସେ ଜିଦ୍ କରିଥିଲେ। ଏଥିରେ ତାଙ୍କ ବାପା ରାଗିଯାଇ ସେ ବ୍ୟାଟ୍‌ଟିକୁ ଟାଙ୍ଗିଆରେ ହାଣି ଦୁଇଫାଳ କରିଦେଇଥିଲେ। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ନକୁଳ ତାଙ୍କ କ୍ରିକେଟ ଜୀବନର ଏମିତି ଅନେକ ଅନୁଭୂତିକୁ ବାଣ୍ଟିଛନ୍ତି।ପ୍ରଥମ ମ୍ୟାଚ୍‌ରେ ନେଇଥିଲେ ଓ୍ଵିକେଟ୍

୨୦୧୮ ମସିହାରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ପାଇଁ ଚୟନ ହୋଇଥିଲେ ନକୁଳ। ସେହି ବର୍ଷ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଟି୨୦ ସିରିଜ୍ ଟୁର୍ଣ୍ଣାମେଣ୍ଟରେ ସେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ଆରମ୍ଭରୁ ନକୁଳଙ୍କୁ ମିଳିଥିଲା ସଫଳତା। ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍ ପକ୍ଷରୁ ନକୁଳଙ୍କୁ ପ୍ରଥମେ ବୋଲିଂ କରିବାର ସୁଯୋଗ ମିଳିଥିଲା। ଆଉ ପ୍ରଥମ ଓଭର୍‌ରେ ହିଁ ଓ୍ଵିକେଟ୍ ପାଇଥିଲେ ନକୁଳ। ଏଥିପାଇଁ ସମସ୍ତେ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ। ସବୁଠାରୁ ବଡ଼କଥା ହେଉଛି ଭାରତ ସେହି ମ୍ୟାଚ୍ ଜିତିବା ସହ ସିରିଜ୍ ମଧ୍ୟ ହାତେଇଥିଲା।

ଦୃଷ୍ଟିହୀନ କ୍ରିକେଟର ଆହୁରି ପ୍ରଚାର ପ୍ରସାର ଜରୁରୀ

ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳର ଇତିହାସରେ ଯୋଡ଼ିହୋଇଛି ଅନେକ ସଫଳତାର ଫର୍ଦ୍ଦ। ଲଗାତାର ୩ ଥର ଟି୨୦ ବିଶ୍ଵକପ୍ ଜିତିଛି ଦଳ। ଦୃଷ୍ଟିହୀନ ଖେଳାଳିମାନେ ଦେଶପାଇଁ ଅନେକ ସମୟରେ ଗୌରବ ଆଣିଛନ୍ତି। ହେଲେ ସାଧାରଣ କ୍ରିକେଟରଙ୍କ ପରି ସେମାନଙ୍କୁ ସ୍ଵତନ୍ତ୍ର ପରିଚୟ ମିଳିପାରିନି। ଏହାର କାରଣ ହେଉଛି ଏଭଳି ଏକ ଖେଳ ରହିଥିବା ବେଶ୍ କମ୍ ଲୋକ ଜାଣନ୍ତି। ଦୃଷ୍ଟିବାଧିତ ଲୋକମାନେ ବି କ୍ରିକେଟ ଭଳି ଏକ ଖେଳ ଖେଳିପାରନ୍ତି ଆଉ ବିଶ୍ଵକପ୍ ଜିତିପାରନ୍ତି ଏ ଖବର ସାଧାରଣ ଲୋକଙ୍କ ପାଖରେ ଖୁବ୍ କମ୍ ପହଞ୍ଚେ। ମାତ୍ର କିଛିବର୍ଷ ହେବ ଲୋକମାନେ ଏ ବିଷୟରେ ଜାଣୁଛନ୍ତି, ଚର୍ଚ୍ଚା କରୁଛନ୍ତି। ଏହା ନିଶ୍ଚୟ ଖୁସିର କଥା। ହେଲେ ଏତିକି ଯଥେଷ୍ଟ ନୁହେଁ। ଦୃଷ୍ଟିହୀନ କ୍ରିକେଟର ଆହୁରି ଅଧିକ ମାତ୍ରାରେ ପ୍ରଚାର ପ୍ରସାର ହେବା ଜରୁରୀ ବୋଲି କହନ୍ତି ନକୁଳ।

Tags: #NakulaBadanayak #CricketforBlind #T20WorldCupforBlind2022 #CAVIOdisha #CABI #CRICKETASSOCIATIONFORTHEBLINDININDIA #Cricket #BlindCricket #ନକୁଳବଡ଼ନାୟକ #ଦୃଷ୍ଟିହୀନକ୍ରିକେଟ୍

Comment