ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାରରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍। ଏଥିପାଇଁ ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ କେ ଏଲ ରାହୁଲ ଦଳର ନେତୃତ୍ୱ ନେବେ। ଦକ୍ଷିଣ ଆଫ୍ରିକା ସହ ଟି-ଟ୍ୱେଣ୍ଟି ସିରିଜ୍ ବରାବର ରଖିବାପରେ ଏବେ ଦିନିକିଆ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରାଯାଇଛି। ସେମାନେ ଏବେ ଭଲ ଫର୍ମରେ ଥିବାବେଳେ ଦକ୍ଷିଣ ଆଫ୍ରିକୀୟ ବୋଲିଂ ସାମ୍ନାରେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ସେହିପରି ଟିମ୍ ଇଣ୍ଡିଆର ବୋଲିଂ ସ୍କ୍ୱାଡରେ ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଏବଂ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ସେହିପରି ଅର୍ଶଦୀପ ସିଂ, ମୁକେଶ କୁମାର, ଆଭେଶ ଖାନ ଓ ଆକାଶଦୀପଙ୍କ ଭଳି ପେସ ବୋଲର ଦକ୍ଷିଣ ଆଫ୍ରିକୀୟ ବ୍ୟାଟିଂ ଲାଇନଅପ ଉପରେ ଚାପ ପକାଇବାର ସମ୍ଭାବନା ରହିଛି, ଯାହା ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ଦେଖିବାକୁ ମିଳିଥିଲା।

ତେବେ ଦିନିକିଆ ଦଳରୁ ଦୀପକ ଚହର ବାଦ୍ ପଡ଼ିଛନ୍ତି। ଏହାସହ ଶ୍ରେୟସ ଆୟର ସିରିଜର ଶେଷ ଦୁଇଟି ମ୍ୟାଚ ନଖେଳିବା ଟିମ୍ ଇଣ୍ଡିଆ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିପାରେ। ତେବେ ଏମାନଙ୍କ ବଦଳରେ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ସେ ନେଇ ବିସିସିଆଇ ପକ୍ଷରୁ ଆଗକୁ ଘୋଷଣା କରାଯିବ।

ଭାରତ ଏହି ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ସହ ୩ଟି ମ୍ୟାଚ ଖେଳିବ। ସିରିଜର ପ୍ରଥମ ମ୍ୟାଚ ରବିବାର ଖେଳାଯିବାକୁ ଥିବାବେଳେ ଡିସେମ୍ବର ୧୯ ଓ ୨୧ ତାରିଖରେ ଅନ୍ୟ ଦୁଇଟି ମ୍ୟାଚ ଖେଳାଯିବ।

Tags: #IndiavsSouthAfrica #ODISeries #Cricket #Sports #BCCI  

Comment