ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ଦିନିକିଆ କ୍ରିକେଟ ସିରିଜର ଦ୍ଵିତୀୟ ମ୍ୟାଚ। ଅଧିନାୟକ କେଏଲ୍‌ ରାହୁଲଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଆକର୍ଷଣୀୟ ବିଜୟ ହାସଲ କରିଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ ମଧ୍ୟ ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ମ୍ୟାଚରେ ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ ଦକ୍ଷିଣ ଆଫ୍ରିକୀୟ ବୋଲିଂ ସାମ୍ନାରେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

ସେହିପରି ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆୱେସ ଖାନଙ୍କ ପେସ ବୋଲିଂ ଏବଂ କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ସ୍ପିନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟିଂ ଲାଇନଅପ୍ ଉପରେ ଚାପ ପକାଇବାର ସମ୍ଭାବନା ରହିଛି, ଯାହା ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା।

ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ଆୱେସ ଖାନଙ୍କ ଚମତ୍କାର ବୋଲିଂ ଆଗରେ ପ୍ରଥମ ମ୍ୟାଚରେ ଧରାଶାୟୀ ହୋଇଥିଲା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନଅପ୍। ଦଳ ମାତ୍ର ୧୧୬ ରନରେ ଅଲଆଉଟ ହୋଇଥିଲା। ଏହାପରେ ମ୍ୟାଚକୁ ୮ ୱିକେଟରେ ଜିତିଥିଲା ଟିମ୍ ଇଣ୍ଡିଆ। ତେବେ ସିରିଜ ବଞ୍ଚାଇବା ପାଇଁ ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ନିହାତି ଜିତିବାକୁ ପ୍ରୟାସ କରିବ।

ତେବେ ଭାରତ ଏହି ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ସହ ୩ଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚଟି ରବିବାର ହୋଇଥିଲା। ଆଜି ଦ୍ଵିତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ଗୁରୁବାର ସିରିଜର ତୃତୀୟ ମ୍ୟାଚ ଖେଳାଯିବ।  

Tags: #IndiavsSouthAfrica #ODISeries #Cricket #Sports #BCCI  

 

Comment