ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସୁପର ସଣ୍ଡେରେ ଆଇସିସି କ୍ରିକେଟ ବିଶ୍ଵକପର ମେଗା ଫାଇନାଲ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ବିଶ୍ଵକପ ଜିତି କୋଟି କୋଟି କ୍ରିକେଟପ୍ରେମୀଙ୍କ ସ୍ଵପ୍ନକୁ ତୃତୀୟଥର ପୂରଣ କରିବାର ଭାରତୀୟ ଦଳ ପାଇଁ ଏହା ଆଉ ଏକ ସୁଯୋଗ। ସାରା ଦେଶ ଆଜି ଏହି ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି।

ଚଳିତ ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବହୁତ ଦମଦାର ପ୍ରଦର୍ଶନ କରିଛି। ଲିଗ୍ ପର୍ଯ୍ୟାୟରେ ଦଳ ନିଜର ସବୁ ମ୍ୟାଚ ଜିତିଥିଲା। ସେହିପରି ସେମିଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପଦାର୍ପଣ କରିଛି।

ଦେଢ଼ ମାସ ଧରି ଚାଲିଥିବା ଏହି ବିଶ୍ଵକପର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିଥିଲା ଭାରତ। ମ୍ୟାଚରେ କଙ୍ଗାରୁ ଦଳକୁ ୧୯୯ ରନ୍‌ରେ ରୋକି ସହଜ ବିଜୟ ହାସଲ କରିଥିଲା। ହେଲେ ଏବେ ସେହି ଦଳ ସାମ୍ନାରେ ରହିଛି କିନ୍ତୁ ଏକ ଭିନ୍ନ ରୂପରେ ଏବଂ ଭିନ୍ନ ମଞ୍ଚରେ। ତେବେ ବିଶ୍ଵକପରେ ଟିମ ଇଣ୍ଡିଆ ଯେଉଁ ଅପରାଜୟ ରହିବାର ଧାରା ବନେଇଛି ତାହାକୁ ପୁଣି ଦୋହରାଇବାକୁ ଲକ୍ଷ୍ୟ ରଖିଛି। 

ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଉପରେ ଫାଇନାଲରେ ସମସ୍ତଙ୍କ ନଜର ରହିବ। ଚଳିତ ବିଶ୍ଵକପରେ ବିରାଟ କୋହଲୀ ୭୧୧ ରନ୍‌ ଏବଂ ମହମ୍ମଦ ଶାମି ୨୩ ୱିକେଟ୍ ସହ ଯଥକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି। ସ୍ପିନ୍ ବିଭାଗରେ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ପ୍ରଭ‌ାବୀ ପ୍ରଦର୍ଶନ ଭାରତୀୟ ଦଳକୁ ଆହୁରି ମଜବୁତ କରିଛି।

ଅନ୍ୟପଟେ ଚଳିତ ବିଶ୍ଵକପର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଯିବା ପରେ କ୍ରମାଗତ ୮ଟି ବିଜୟ ସହ ଫାଇନାଲ୍ ଆସିଛି ଅଷ୍ଟ୍ରେଲିଆ। ସେମିଫାଇନାଲ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ଚିତପଟାଙ୍ଗ କରିଥିଲା। ଏଥିପାଇଁ ଆଜି ପ୍ୟାଟ୍ କମିନ୍ସଙ୍କ ଦଳ ଭାରତ ବିପକ୍ଷରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବ।

ମ୍ୟାଚରେ ଡେଭିଡ୍ ୱାର୍ଣ୍ଣର, ସ୍ଟିଭ ସ୍ମିଥ, ମିଚଲ ମାର୍ଶଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଏବଂ ନିଜେ ପ୍ୟାଟ୍ କମିନ୍ସ, ମିଚଲ ଷ୍ଟାର୍କ ଓ ଆଡମ ଜାମ୍ପାଙ୍କ ବୋଲିଂ ଭାରତକୁ ଦ୍ଵନ୍ଦ୍ଵରେ ପକାଇବାର ସମ୍ଭାବନା ରହିଛି। ତେବେ ଅଷ୍ଟ୍ରେଲିଆର ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ଭଲ କରିବା ପାଇଁ ସବୁ ପ୍ରୟାସ କରିବ।

୧୯୮୩ ମସିହାରେ କପିଳ ଦେବ ଏବଂ ୨୦୧୧ ମସିହା ବିଶ୍ଵକପରେ ମହେନ୍ଦ୍ର ସିଂହ‌ ଧୋନିଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଯେଉଁ ଅସମ୍ଭବକୁ ସମ୍ଭବ କରି ବିଶ୍ଵ ବିଜୟୀ ହୋଇଥିଲା, ଏବେ ସେଭଳି ସୁଯୋଗ ପଥରେ ରହିଛି ରୋହିତ ଶର୍ମାଙ୍କ ବାହିନୀ।

୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ବିଶ୍ଵକପ ଟ୍ରଫି କବ୍ଜା କରୁ ବୋଲି ସବୁ ଭାରତୀୟ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ଏଥିପାଇଁ ସମସ୍ତେ ଦଳୁ ଶୁଭକାମନା ଜଣାଇଛନ୍ତି। ତେବେ ଆଜିର ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଲଢ଼େଇ କ୍ରିକେଟପ୍ରେମୀଙ୍କୁ ଏକ ମନୋରଞ୍ଜନଭରା, ଉତ୍କଣ୍ଠାପୂର୍ଣ୍ଣ ତଥା ରୋମଞ୍ଚକର ଅନୁଭୂତି ଦେବ, ଏହା ସୁନିଶ୍ଚିତ ହୋଇଛି।  

Tags: #ICCCricketWorldCup #Final #IndiavsAustralia #Cricket #NarendraModiStadium #Sports #ICC

LEAVE A REPLY

Please enter your comment!
Please enter your name here