ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପୂର୍ବରୁ ୨ଟି ମ୍ୟାଚ ଜିତି ସାରିଥିବା ଭାରତୀୟ ଦଳ ଏହି ମ୍ୟାଚରେ ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ସିରିଜର ପୂର୍ବ ମ୍ୟାଚଗୁଡ଼ିକ ଭଳି ଏହି ମ୍ୟାଚରେ ଭାରତୀୟ ଦଳର ବୋଲିଂ ଉପରେ ଅଧିକ ମହତ୍ତ୍ଵ ରହିବାର ସମ୍ଭାବନା ରହିଛି। ପୂର୍ବ ଦୁଇ ମ୍ୟାଚରେ ଦଳ ଆଫଗାନିସ୍ତାନକୁ ଅଲଆଉଟ କରିଥିଲା। ମ୍ୟାଚରେ ଯୁବ ବୋଲର ମୁକେଶ କୁମାର, ଅର୍ଶଦୀପ ସିଂହ, ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏହାସହ ପେସ୍ ବୋଲର ଆଭେସ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ।

ଅନ୍ୟପଟେ ବ୍ୟାଟିଂରେ ଭାରତର ପ୍ରଦର୍ଶନ ଭଲ ଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ପୂର୍ବ ଦୁଇଟି ମ୍ୟାଚରେ ଖାତା ଖୋଲି ନପାରିବା ପ୍ରଶଂସକଙ୍କୁ ନିରାଶ କରିଛି। ବୁଧବାର ମ୍ୟାଚରେ ସେ ଅଧିକ ରନ କରିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ସେହିପରି ବିରାଟ କୋହଲୀ, ଯଶସ୍ଵୀ ଜୟସ୍ଵାଲ୍, ଶିବମ ଦୁବେ ଓ ରିଙ୍କୁ ସିଂହଙ୍କ ବ୍ୟାଟିଂ ଉପରେ ନଜର ରହିବ।

ବେଙ୍ଗାଳୁରୁର ଷ୍ଟାଡିୟମ ବ୍ୟାଟିଂକୁ ଅଧିକ ସୁହାଇ ଥାଏ। ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୫୪ ରନ ରହିଛି। ସେହିପରି ଏଠାରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୮ରୁ ୫ଟି ମ୍ୟାଚ୍‌ ଜିତିବା ରେକର୍ଡ ରହିଛି। ତେଣୁ ବୁଧବାର ଏଠାରେ ଉଚ୍ଚସ୍କୋର ମ୍ୟାଚ୍‌ ଦେଖିବାକୁ ମିଳିବାର ସମ୍ଭାବନା ରହିଛି।  

Tags: #IndiavsAfghanistan #T-20Series #Cricket #Sports #BCCI

LEAVE A REPLY

Please enter your comment!
Please enter your name here