ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିଦ୍ୟୁତ ଶୁଳ୍କ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଗକୁ ଦେଶରେ ବିଦ୍ୟୁତ୍ ଦର ସ୍ଥିର କରିବାକୁ ‘ଟାଇମ୍ ଅଫ୍ ଡେ’ (ଟିଓଡି) ନିୟମ ଲାଗୁ ହେବାକୁ ଯାଉଛି। ଏହାଫଳରେ ବିଦ୍ୟୁତ୍ ଦର ଦିନରେ ୨୦ ପ୍ରତିଶତ ଶସ୍ତା ଓ ରାତିରେ ୨୦ ପ୍ରତିଶତ ମହଙ୍ଗା ହେବ। ଦେଶରେ ୨୦୨୪ ମସିହା ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁହେବ। ଏନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶକ୍ତି ମନ୍ତ୍ରାଳୟର ସୂଚନା ଅନୁସାରେ ଭିନ୍ନ ଭିନ୍ନ ସମୟ ପାଇଁ ବିଦ୍ୟୁତ ଶୁଳ୍କ ଅଲଗା ଅଲଗା ରହିବ। ଦିନ ବେଳାର ୮ ଘଣ୍ଟାକୁ ସୌର ସମୟ (ସୋଲାର ଆୱାର) ଭାବେ ନିର୍ଦ୍ଧାରଣ ହେବ। ଏହି ସମୟରେ ବିଦ୍ୟୁତ ଶୁଳ୍କ ସ୍ଵାଭାବିକଠାରୁ ୨୦ ପ୍ରତିଶତ କମ ରହିବ। ଅନ୍ୟପଟେ ବିଦ୍ୟୁତ ଚାହିଦା ଅଧିକ ରହୁଥିବା ରାତି ସମୟରେ ଦର ୨୦ ପ୍ରତିଶତ ଅଧିକ ରହିବ। ଏଥିପାଇଁ ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ନିୟମ ୨୦୨୦ରେ ସଂଶୋଧନ କରିଛନ୍ତି।

ଭାରତରେ ୨୦୨୪ରେ ଏହି ନୂଆ ନିୟମ ପ୍ରଥମେ ବାଣିଜ୍ୟିକ ଓ ଶିଳ୍ପ ଗ୍ରାହକମାନଙ୍କ ପାଇଁ ଲାଗୁ ହେବ। ଏହାପରେ ଏହି ନୂଆ ନିୟମକୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ କରାଯିବ। ଭାରତରେ ସବୁ ଘରେ ସ୍ମାର୍ଟ ମିଟର ଲଗାଯିବାପରେ ଏହି ବ୍ୟବସ୍ଥା ଅଣାଯିବ।

ଶକ୍ତି ମନ୍ତ୍ରାଳୟର କହିବା ଅନୁସାରେ ଏହି ନୂଆ ନିୟମ ଲାଗୁ ହେବାଦ୍ଵାରା ବିଦ୍ୟୁତ ଉପଭୋକ୍ତାମାନେ ନିଜ ବିଦ୍ୟୁତ ଦର କମାଇପାରିବେ। ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଚାହିଦା ଅନୁସାରେ ଦର ଦେବା ଦ୍ଵାରା ସେମାନଙ୍କ ବିଜୁଳି ଦର ୧୦ରୁ ୨୦ ପ୍ରତିଶତ କମି ପାରିବ।

ଅନ୍ୟପଟେ ଏହି ନୂଆ ନିୟମ କେତେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ ଦେଶରେ ଅନେକ ଦିନ ସନ୍ଧ୍ୟା ତଥା ରାତି ସମୟରେ ବିଦ୍ୟୁତ ଚାହିଦା ଅଧିକ ରାହୁଥିବାରୁ ଯଦି ଏହି ସମୟରେ ଦର ବଢ଼େ ତେବେ ଏହା ମୋଟ ବିଦ୍ୟୁତ ମୂଲ୍ୟକୁ କମ କରିବ କିପରି? ଏହା ଉପରେ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ କିଛି ସୂଚନା ମିଳିନାହିଁ।

Tags: #ElectricityTariff #TimeofDayRule #ElectricityConsumers #MinistryofPower

Comment