ଓଡ଼ିଶାଲାଇଭ୍ ବ୍ୟୁରୋ

କନିଆ ଘର ଆଗରେ ନାଚୁଥିବାବେଳେ ବରଯାତ୍ରୀଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର କୁଡ଼ିଆଘାଟି ଷଠୀଘର ନିକଟରେ। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୯ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ନିକଟ ମାନପୁର ଗାଁରୁ ମଙ୍ଗଳବାର ରାତିରେ ବରଯାତ୍ରୀ ବାହାରି ଥିଲେ ଷଠୀଘର ସାହିସ୍ଥିତ କନ୍ୟା ଘର ଅଭିମୁଖେ। ବାଜା ବଜାଇ ବାଣଫୁଟାଇ ନାଚି ନାଚି ଯାଉଥିଲେ ବର ପକ୍ଷର ଯାତ୍ରୀମାନେ। ହସ ଖୁସିରେ କମ୍ପୁଥିଲା କନିଆଘର ଗାଁ। ଦେଖୁ ଦେଖୁ ସବୁ ହସଖୁସି ନିମିଷକରେ ଧୂଳିସାତ୍ ହେଇଗଲା।

ଶୁଆକାଟୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଥିଲେ। ମୃତକମାନେ ହେଲେ ମାନପୁର ଗାଁର ଜିତ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତି ମୁଣ୍ଡା ଓ ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର ବାପୁନ ଦେହୁରୀ। ଏତେ ବଡ଼ ଅଘଟଣ ଯୋଗୁଁ ବନ୍ଦ ହୋଇଗଲା ବାହାଘର।

ବୁଧବାର ଦିନ ସ୍ଥାନୀୟ ଅଞ୍ଚଳବାସୀ କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ବାରମ୍ବାର ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଆଜି ଓଭରବ୍ରିଜ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରାଯାଇଛି। ଓଭରବ୍ରିଜ ନିର୍ମାଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଅଞ୍ଚଳବାସୀ ଅଡ଼ି ବସିଛନ୍ତି।

Tags: #Accident #Death #Kendujhar #MarriageFunction

Comment