ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଚଳିତବର୍ଷ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ଵକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ଵର ୧୦ଟି ଦଳ ଭାଗ ନେବେ। ବିଶ୍ଵକପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅହମ୍ମଦାବାଦ ଓ ଅନ୍ୟ କିଛି ନିର୍ଦ୍ଧିଷ୍ଟ ଷ୍ଟାଡିୟମରେ ନିଜ ମ୍ୟାଚ ଖେଳିବାକୁ ମନା କରିଥିଲେ ମଧ୍ୟ ଏହାକୁ ପ୍ରତ୍ୟଖାନ କରିଛି ଆଇସିସି। ଏହାକୁ ନେଇ ଏବେ ଭାରତ-ପାକ୍ ମୁକବିଲା ଉପରେ ଅନିଶ୍ଚିତତା ଦେଖାଦେଇଛି।

ଅହମ୍ମଦାବାଦରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। ଆଇସିସି ପକ୍ଷରୁ ପାକିସ୍ତାନର ବିଶ୍ଵକପ ମ୍ୟାଚ ଭେନ୍ୟୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯିବା ବୋର୍ଡକୁ ଅଡ଼ୁଆରେ ପକାଇଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ ସହମତି ମିଳିଲେ ହିଁ ଦଳ ଭାରତ ଆସିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।

ଭାରତ କ୍ରିକେଟ ବିଶ୍ଵକପ ପାଇଁ ଖେଳସୂଚୀ ଜାରି ହେବା ପୂର୍ବରୁ ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁ ଭଳି କିଛି ଷ୍ଟାଡିୟମରେ ମ୍ୟାଚ ଖେଳିବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଓ ବିସିସିଆଇ ନିକଟରେ ଦାବି କରିଥିଲା। ସୁରକ୍ଷା କାରଣରୁ ଏହି ଷ୍ଟାଡିୟମଗୁଡ଼ିକ ପରିବର୍ତ୍ତେ ଅନ୍ୟ ଷ୍ଟାଡିୟମରେ ମ୍ୟାଚ ରଖିବାକୁ ପିସିବି ଅନୁରୋଧ କରିଥିଲା।

ଆଇସିସି ପୂର୍ବରୁ ସ୍ଥିର ହୋଇଥିବା ବିଶ୍ଵକପର ଡ୍ରାଫ୍ଟ ଖେଳସୂଚୀ ଅନୁଯାୟୀ ପାକିସ୍ତାନ ଖେଳିବା ପାଇଁ ନିର୍ଦ୍ଧାରିତ ହୋଇଥିବା କୌଣସି ଷ୍ଟାଡିୟମକୁ ବଦଳାଇ ନଥିଲା। ଏଥିପାଇଁ ଏବେ ପାକିସ୍ତାନ ବିଶ୍ଵକପରୁ ଓହରିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପଟେ ଆଇସିସି ଚଳିତବର୍ଷ କ୍ରିକେଟ ବିଶ୍ଵକପରେ ପାକିସ୍ତାନର ଖେଳିବାକୁ ନେଇ ଆଶାବାଦୀ ଅଛି। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ ପକ୍ଷରୁ ଚୁକ୍ତିରେ ସ୍ଵାକ୍ଷର କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଏବେ ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ କଳହ ଲାଗି ରହିଛି ।ବାସ୍ତବରେ, ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ୍ ଖେଳିବାକୁ ବିସିସିଆଇ ମନା କରିଦେଇଥିଲା। ପରେ ଏସିଆ କପରେ ଭାରତ ଖେଳିବାକୁ ଥିବା ମ୍ୟାଚଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ ବୋଲି ସ୍ଥିର କରାହୋଇଛି।

Tags: #ICCCricketWorldCup2023 #INDvsPAK #Ahmadabad #ICC #BCCI #PCB

 

Comment