ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗ ପରେ ଏହାର ଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଚିଠି ଲେଖାଯାଇଥିଲା। ଏହି ଚିଠିକୁ ନେଇ ଗୁରୁବାର ଦିନ ପ୍ରତିକ୍ରିୟା ରଖିଛି ବିଜେଡି।

ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ବରଂ ଦଳର ସଭାପତି ହିସାବରେ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ସରକାରୀ ବାସଭବନକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି। ଓଡ଼ିଶା ସରକାର ଯେଉଁଭଳି ଲୋକଙ୍କ ନିକଟତର ହେଉଛି ଭାରତର ଅନ୍ୟ କେଉଁ ରାଜ୍ୟରେ ତାହା ଦେଖିବାକୁ ମିଳୁନାହିଁ। ଦୂରଦୂରାନ୍ତରୁ ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସ୍ୱାଭାବିକତା, ଅଗଣତାନ୍ତ୍ରିକତା କୋଉଠି ରହିଲା?”

ଏହା ଏକ ସ୍ଵାଭାବିକ ପ୍ରକ୍ରିୟା ଏହା ନୂଆ କଥା ନୁହେଁ, ଆଗରୁ ମଧ୍ୟ ଏପରି ଏକାଧିକ ଥର ହୋଇଛି। ଶାସନ ପ୍ରକ୍ରିୟାର ଏହା ଏକ ଅଂଶବିଶେଷ। ଏଥିରେ କ’ଣ ଉଲଙ୍ଘନ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

“କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ ହେଉଛି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଏବଂ ଦଳର ବି ମୁଖ୍ୟ। ଦଳର ମୁଖ୍ୟ ଭାବରେ ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ଵ ଦିଅନ୍ତି, କ୍ଷମତା ହସ୍ତାନ୍ତର କରନ୍ତି ନାହିଁ। ସରକାରର ମୁଖ୍ୟ ଭାବେ ଦାୟିତ୍ଵ ବାଣ୍ଟିବା ମୁଖ୍ୟମନ୍ତ୍ରୀଙ୍କ ଅଧିକାରଭୁକ୍ତ। ଏଥିରେ ଅସ୍ଵାଭାବିକ କୋଉଠି ରହିଲା ଜଣାପଡ଼ୁନି”, କୁହନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ବିଭାଗୀୟ ଚିଠି ଆସିବା ନୂଆ କଥା ନୁହେଁ। ଏଭଳି ଆଗରୁ ମଧ୍ୟ ହୋଇଛି। ଯେଉଁମାନଙ୍କ ପାଖରେ କୌଣସି ପ୍ରସଂଗ ନଥାଏ ସେମାନେ ଏମିତି କୁହନ୍ତି ବୋଲି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ ଉଲ୍ଲଂଘନ ହେଉଥିବା ନେଇ ଜୁନ ୨୫ ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୁନ ୨୭ ତାରିକରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ।

କେନ୍ଦ୍ରର ଚିଠି ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଥିଲେ। ଟୁଇଟ କରି ଅପରାଜିତା କହିଥିଲେ, “ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୁରୁତ୍ଵର ସହ ନେଇଛି। ଆଶା କରୁଛି ଆଇନ ତା ବାଟରେ ଯିବ।”

ଜୁନ ୧୭ ତାରିଖରେ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ କରି କାହାରି ନାଁ ନନେଇ କହିଥିଲେ, “ଓଡ଼ିଶା ଏକ ଅନୁଶାସନ ପ୍ରିୟ ରାଜ୍ୟ ହୋଇଥିବା ସତ୍ତ୍ଵେ ଏବେ ଏହାର ଶାସନ ବ୍ୟବସ୍ଥା ନିମ୍ନ ସ୍ତରକୁ ଚାଲିଯାଇଛି। ରାଜ୍ୟରେ ଲୋକପ୍ରତିନିଧି ଥାଇ ମଧ୍ୟ ଜଣେ ସଚିବ ସ୍ତରର ଅଧିକାରୀ ରାଜ୍ୟର ଶାସନକୁ କବ୍ଜା କରିଥିବା ଭଳି ମନେହେଉଛି। ସେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ସରକାରଙ୍କ ନୂଆ ଯୋଜନାକୁ ଘୋଷଣା କରୁଛନ୍ତି। କେତେକ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି। ଯଦି ତାଙ୍କର ରାଜନୀତି କରିବାର ଇଚ୍ଛା ହେଉଛି ତେବେ ସେ ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ଓ ସରକାରୀ ଦରମା ନେବା ବନ୍ଦ କରନ୍ତୁ” କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି, “ସଚିବଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଏନେଇ କିଛି ନିର୍ଦେଶନାମା ଜାରି ହୋଇଛି କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ। ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ ଅନୁସାରେ ରାଜ୍ୟରେ ସଚିବ ସ୍ତରର ଅଧିକାରୀଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅନୁମତି ନାହିଁ। ଏହାପରେ ମଧ୍ୟ ଜଣେ ଅଧିକାରୀଙ୍କ ପାଇଁ ଜନସଭା ଆୟୋଜିତ ହେବା ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ଆଦୌ ଭଲ ନୁହେଁ।”

ସେ ଆହୁରି କହିଛନ୍ତି, “ଓଡ଼ିଶାର ବିଭିନ୍ନ ସ୍ଥାନକୁ ସମ୍ପୃକ୍ତ ସଚିବଙ୍କ ଗସ୍ତ ବେଳେ ଯେତେ ଟଙ୍କା ଖର୍ଚ୍ଚ ହେଉଛି, ଯେତିକି ଆୟୋଜନ କରାଯାଉଛି, ମୁଖ୍ୟ ଶାସନ ସଚିବ କିମ୍ବା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗସ୍ତ ବେଳେ ସେଭଳି ଆୟୋଜନ ଦେଖିବାକୁ ମିଳୁନାହିଁ। ସମ୍ପୃକ୍ତ ସଚିବଙ୍କ କାର୍ଯ୍ୟକ୍ରମବେଳେ ସ୍ଥାନୀୟ ବିଧାୟକ ଓ ସାଂସଦମାନେ ଦେଖାଯାଉନାହାନ୍ତି। ଏହା ସେମାନଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ। ସେମାନଙ୍କ ପ୍ରତି ମୋର ସହାନୁଭୂତି ରହିଛି।”

Tags: #Politics #OdishaPolitics #IndianPolitics #IASOfficer #BJP #BJD #Congress #PrasannaAcharya

Comment