ଓଡ଼ିଶାଲାଇଭ୍ ବ୍ୟୁରୋ

ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର। ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ମହାପାତ୍ରଙ୍କ ଅକାଳ ବିୟୋଗ ଓଡ଼ିଆ ସାମ୍ଵାଦିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ବହୁ ବରିଷ୍ଠ ସାମ୍ଵାଦିକମାନେ ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ। ମୃତ୍ୟୁ ବେଳକୁ ସେ ଦୈନିକ ଖବରକାଗଜ ‘ସକାଳ’ର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଉଥିଲେ। ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକୋତ୍ତର ପାସ୍ କରିବା ପରେ ସାମ୍ବାଦିକତାକୁ ସେ ପେଶା ଭାବେ ଗ୍ରହଣ କରିଥିଲେ। ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସେ ବିଶେଷ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାମ୍ଵାଦିକତା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି।କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ବେଶ୍ ସକ୍ରିୟ ଥିଲେ ଡକ୍ଟର ମହାପାତ୍ର। ଏହାଛଡ଼ା ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ। ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା। ଜଣେ ମେଳାପୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ ଡକ୍ଟର ମହାପାତ୍ର।

ଡକ୍ଟର ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶାଲାଇଭ୍‌ର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ଵର ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡକ୍ଟର ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେ କହିଛନ୍ତି ଯେ, “ବରିଷ୍ଠ ସାମ୍ଵାଦିକ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ମତେ ମର୍ମାହତ କରିଛି। ତାଙ୍କ ପରି ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ଵାଦିକଙ୍କୁ ଆମେ ଆଜି ହରାଇଛୁ। ଓଡ଼ିଶା ଟେଲିଭିଜନ ସାମ୍ଵାଦିକତା କ୍ଷେତ୍ରର ପ୍ରଥମ ପିଢ଼ିର ସାମ୍ଵାଦିକ ଥିଲେ ଡକ୍ଟର ମହାପାତ୍ର। ଅନେକ ଉତ୍ଥାନ ପତ୍ତନ ଦେଇ ସେ ସାମ୍ଵାଦିକତା କ୍ଷେତ୍ରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବିଶେଷ କରି ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅତୁଳନୀୟ। ସେ ମୋର ଜଣେ ଭଲ ବନ୍ଧୁ ଥିଲେ ଏବଂ ଅନେକ ଯୁବ ସାମ୍ଵାଦିକଙ୍କ ପାଇଁ ଥିଲେ ପ୍ରେରଣାର ଉତ୍ସ।।”

ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଡକ୍ଟର ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “ଡକ୍ଟର ଜଗନମୋହନ ମହାପାତ୍ରଙ୍କର ଅକାଳ ବିୟୋଗରେ ସକାଳ ଏବଂ ନନ୍ଦିଘୋଷ ଟିଭିର ଏକ ଅପୂରଣୀୟ କ୍ଷତି ଘଟିଛି। ଏହାଛଡ଼ା ବ୍ୟକ୍ତିଗତ ଭାବେ ମୋ ପାଇଁ ଏକ ବଡ଼ କ୍ଷତି। କାରଣ ୧୯୯୦ ମସିହାରୁ ଆଜିଯାଏଁ ୩୫ ବର୍ଷ ଧରି ଆମର ଏ ସମ୍ପର୍କ। ଏ ଦୀର୍ଘ ସମୟ ଭିତରେ କେତେବେଳେ ସେ ବଡ଼ଭାଇ, ବନ୍ଧୁ ଏବଂ ମାର୍ଗଦର୍ଶକ ହୋଇ ମତେ ସହଯୋଗ କରିଆସିଛନ୍ତି। ସବୁ କ୍ଷେତ୍ରରେ ମୋ ସାଥ୍ ଦେଇଛନ୍ତି। ହେଲେ ଏତେ ଅଳ୍ପ ବୟସରୁ ତାଙ୍କର ଅକାଳ ବିୟୋଗକୁ ବିଶ୍ଵାସ କରିହେଉନି। ସେ ଜଣେ ସଚ୍ଚୋଟ, ମେଳାପୀ ଏବଂ ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ଥିଲେ। ଜୀବନକୁ କେମିତି ଖୋଲିକରି ଜିଁ ହେବ ଏହା ତାଙ୍କଠାରୁ ଶିଖିବା କଥା। ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି।”

Tags: #DrJaganMohanMohapatra #SeniorJournalist #Berhampur #OdiaMedia #Odisha

Comment