ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଶୁକ୍ରବାର ଚିହ୍ନଟ ହୋଇଛି ଆଉ ୨୯ଟି ମୃତଦେହ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି।

ଡିଏନଏ ରିପୋର୍ଟ ଅନୁସାରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଚିହ୍ନଟ ହୋଇଥିବା ମୃତଦେହ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାର ବୋଲି ଜଣାପଡ଼ିଛି।

ଶୁକ୍ରବାର ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ଏମ୍ସରେ ସମସ୍ତ ମୃତଦେହ ରହିଛି। ତେଣୁ ଯେଉଁମାନେ ମୃତଦେହ ନିଜ ଅଞ୍ଚଳକୁ ନେବେ ସେଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ନିଜ ଅଞ୍ଚଳକୁ ନେବେ ନାହିଁ, ସେଠାରେ ହିଁ ଶବ ସତ୍କାର କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାର ବଡ଼ ସମସ୍ୟା ଥିଲା ମୃତଦେହ ଚିହ୍ନଟ। କାରଣ ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଆସିବାରୁ ଚିହ୍ନଟରେ ଅସୁବିଧା ହୋଇଥିଲା। ତେଣୁ ଡିଏନଏ ପ୍ରୋଫାଇଲିଂ ପାଇଁ ଯୋଜନା କରାଯାଇଥିଲା। ଦାବିଦାର ଏବଂ ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇ ପ୍ରୋଫାଇଲିଂ କରାଯାଇଥିଲା। ଟେଷ୍ଟ ପରେ ୨୯ଟି ମୃତଦେହ ଚିହ୍ନଟ କରାଯାଇଛି। ଯେହେତୁ ମାମଲାର ତଦନ୍ତ ସିବିଆଇ ଜାରି ରଖିଛି ତେଣୁ ମୃତଦେହ ହସ୍ତାନ୍ତର ବେଳେ ସିବିଆଇ, ରେଳବିଭାଗ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଉପସ୍ଥିତ ରହିବେ।

“ଏମସରେ ଥିବା ୮୧ ଟି ମୃତଦେହ ମଧ୍ୟରୁ ୭୮ଟି ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୨୯ଟି ଚିହ୍ନଟ ହୋଇଛି। ବାକି ରିପୋର୍ଟ ଖୁବଶିଘ୍ର ଆସିବ। ମୃତଦେହ ଚିହ୍ନଟ କରିବା ଗୋଟେ ବଡ ଚ୍ୟାଲେଞ୍ଜ। ଡିଏନଏ ଟେଷ୍ଟ ମାଧ୍ୟମରେ ସେ ସବୁ ଚିହ୍ନଟ ପରେ ତାକୁ ହସ୍ତାନ୍ତର କରାଯିବ” କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

ଜୁନ ୨, ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ ନିକଟରେ ଘଟିଥିବା ସିରିଜ୍ ଟ୍ରେନ୍ ଦୁର୍ଘଟଣାରେ ୨୯୩ଜଣଙ୍କର ମୃତ୍ୟୁ ହୋଇଥିଲା। ୨୮୮ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୫ଜଣ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ପରେ କିଛି ମୃତଦେହ ଚିହ୍ନଟ ହୋଇ ସମ୍ପର୍କୀୟଙ୍କୁ ତୁରନ୍ତ ହସ୍ତାନ୍ତର କରାଯାଇଥିଲା। ଆଉ କିଛି ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ୟା ହୋଇଥିଲା। ତେଣୁ ଡିଏନଏ ଟେଷ୍ଟ କରି ମୃତଦେହ ଚିହ୍ନଟ କରାଯାଇଛି।

ବଡ଼ କଥା ହେଲା ଏତେ ଦିନ ପରେ ବି ଦୁର୍ଘଟଣା ପଛର କାରଣ ଏବେ ଯାଏ ସାମନାକୁ ଆସିନାହିଁ। ଦୁର୍ଘଟଣା ମାନବକୃତ ଅବହେଳା ନାଁ ଯାନ୍ତ୍ରିକ ତୃଟି ଥିଲା ତାହା ସାମନାକୁ ଆସିପାରିନି।

Tags: #BahanagaTrainTragedy #BahanagaTrainAccident #DeabodyIdentification #DNAReport

Comment