ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଘଟଣା ସମୟରେ ସହାୟତା ପାଇଁ ଚିତ୍କାର କରୁଥିଲେ ଯାତ୍ରୀ, ଦେଖୁ ଦେଖୁ ଜଳିଗଲା ବସ୍। ୨୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲା ସିନ୍ଦଖେଡ଼ ରାଜା ସହର ନିକଟ ସମୃଦ୍ଧି ଏକ୍ସପ୍ରେସଓ୍ଵେରେ।

ଏକ ଲଗଜରୀ ବସରେ ୩୩ ଜଣ ଯାତ୍ରୀ ନାଗପୁରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲା ସିନ୍ଦଖେଡ଼ ରାଜା ସହର ନିକଟ ସମୃଦ୍ଧି ଏକ୍ସପ୍ରେସଓ୍ଵେଠାରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। କେହି କିଛି ବୁଝିବା ପୂର୍ବରୁ ହଠାତ ବସଟି ଜଳି ଯାଇଥିଲା। ଚାହୁଁ ଚାହୁଁ ୨୬ ଜଣ ଯାତ୍ରୀଙ୍କର ଜୀବନ ଚାଲିଗଲା। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। କିନ୍ତୁ ଏହି ଦୁର୍ଘଟଣାରୁ ଦୁଇ ଜଣ ଯାତ୍ରୀ ବସର କାଚ ଭାଙ୍ଗି ବାହାରକୁ ବାହାରିବାରେ ସଫଳ ହୋଇଥିଲେ।

ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ। ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଆହତ ହୋଇଥିବା ୭ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି। ଏହି ଦୁର୍ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Tags: #Accident #Death #Maharashtra #Buldhana #BusAccident

Comment