ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ମିଶନକୁ ଲଞ୍ଚ କରାଯିବ। ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ସତିଶ ଧୱନ ସ୍ପେସ ସେଣ୍ଟରରୁ ଜିଏସଏଲଭି ମାର୍କ-୩ ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ। ଏନେଇ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେଇଛନ୍ତି।

“ଚନ୍ଦ୍ରଯାନ-୩ ମିଶନରେ ଏକ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରିବ। ଏଥିରେ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ରହିବ।  ଅବତରଣ କରିବାପରେ ରୋଭାରଟି ଚନ୍ଦ୍ରପୃଷ୍ଠରେ ବିତରଣ କରିବ। ଏଥିରେ ଥିବା ଯନ୍ତ୍ରାଂଶ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଗବେଷଣା କାର୍ଯ୍ୟ କରାଯିବ”, କହିଛନ୍ତି ଏସ ସୋମନାଥ।

ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ସବୁକିଛି ଠିକ ରହେ ତେବେ ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ ହେବ। ଯଦି କୌଣସି କାରଣରୁ ୧୩ ତାରିଖରେ ମିଶନ ଲଞ୍ଚ ହୋଇପାରିବ ନାହିଁ, ତେବେ ଏହା ୧୯ ତାରିଖ ଯାଏଁ ଘୁଞ୍ଚି ପାରିବ।”

ଇସ୍ରୋ ପକ୍ଷରୁ ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ମିଶନ ଲଞ୍ଚ ହୋଇଥିଲା। ଏଥିରେ ଏକ ଅର୍ବିଟର ସ୍ୟାଟେଲାଇଟ ଅନେକ ଦିନ ଧରି ଚନ୍ଦ୍ରର ପରିକ୍ରମା କରିଥିଲା। ଚନ୍ଦ୍ର ପୃଷ୍ଠରେ ଜଳ ଅଛି ବୋଲି ଏହି ମିଶନରୁ ଜଣାପଡ଼ିଥିଲା।

ଏହାପରେ ୨୦୧୯ ମସିହାରେ ଇସ୍ରୋ ଚନ୍ଦ୍ରଯାନ-୨ ମିଶନ ଲଞ୍ଚ କରିଥିଲା। ଏହାକୁ ଆଂଶିକ ସଫଳତା ମିଳିଥିଲା। ଏଥିରେ ଥିବା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ମୁନ ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଚନ୍ଦ୍ରଯାନ-୩ ଜରିଆରେ ସଫଳ ରୂପାୟନ କରିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିବ।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

 

Comment