ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏନ୍ସିପିରେ ବିଭାଜନ, ଅଜିତଙ୍କ କ୍ଷମତା ଲୋଭ ନା ଭୟ ତାହା ସ୍ପଷ୍ଟ ନୁହେଁ। ଏହା ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ମଧ୍ୟ ନୁହେଁ।

  • ବିଭାଜନ ପଛରେ କ୍ଷମତା ଲୋଭ ନା ଭୟ?
  • ଅଜିତଙ୍କୁ ଘାରିଛି କି ଇଡି ସିବିଆଇ ଡର?
  • ବିଜେପିକୁ ୨୦୨୪ ନିର୍ବାଚନ ଚିନ୍ତା

କାହିଁକି ଦାଦାଙ୍କୁ ଧୋକ୍କା ଦେଲେ ଅଜିତ ପାଓ୍ଵାର? ନିର୍ବାଚନ ଆଉ କିଛି ମାସ ଥିବା ବେଳେ ହଠାତ୍ ଏମିତି ନିଷ୍ପତ୍ତି କାହିଁକି ନେଲେ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ଵାର? କ୍ଷମତାର ଲୋଭ ନା ଆଉ କିଛି ଡର, ଯାହା ନିଜର ରାଜନୈତିକ ଗୁରୁ ତଥା ଦାଦା ଶରଦ ପାଓ୍ଵାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ କଲା ଅଜିତଙ୍କୁ? କେବଳ ଉପମୁଖ୍ୟମନ୍ତ୍ରୀ ପଦ ନା ଆଉ କିଛି ବଡ଼ ସମସ୍ୟାରେ ଫସିବା ପୂର୍ବରୁ ବିଜେପିର ଏହି ଅଫରକୁ ଗ୍ରହଣ କରିନେଲେ ଅଜିତ? ଏମିତି ଅନେକ ପ୍ରଶ୍ନକୁ ନେଇ ମହାରାଷ୍ଟ୍ରର ରାଜନୀତି ସରଗରମ ହୋଇଥିବା ବେଳେ ସମୀକ୍ଷକମାନେ ମଧ୍ୟ ଭିନ୍ନ ଭିନ୍ନ ଉତ୍ତର ରଖୁଛନ୍ତି।

୪୦ ବିଧାୟକଙ୍କ ସମର୍ଥନ ପତ୍ର ଧରି ସିନ୍ଦେ ସରକାରରେ ସାମିଲ ହୋଇଥିବା କହିଛନ୍ତି ଅଜିତ ପାଓ୍ଵାର। ଡବଲ୍ ଇଞ୍ଜିନ ନୁହେଁ, ଏବେ ଟ୍ରିପଲ ଇଞ୍ଜିନ ସରକାର ମିଳିଛି ମହାରାଷ୍ଟ୍ରକୁ। ଏହି ଟ୍ରିପଲ୍ ଇଞ୍ଜିନର ସରକାର ବିନା ଟ୍ରବୁଲରେ କେତେ ଦିନ ଚାଲିବ ତାହା ଉପରେ ସମସ୍ତଙ୍କ ନଜର।

ମହାରାଷ୍ଟ୍ରର ମହାନାଟକକୁ କିଛି ଲୋକ ସର୍କସ କହୁଥିବା ବେଳେ କିଛି ଏହାକୁ ମହା ଶିକାର ବୋଲି କହୁଛନ୍ତି। କିନ୍ତୁ ଚଳିତ ବିଧାନସଭା ପାଳିର ଆରମ୍ଭରୁ ଚାଲିଥିବା ରାଜନୈତିକ ଅସ୍ଥିରତାର ଅନ୍ତ, ଅନ୍ତତଃ ପକ୍ଷେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ହେବାର ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ଅନୁମାନ କରୁଛନ୍ତି।

 

ସିନ୍ଦେ ଆଉଟ ହେବା ପୂର୍ବରୁ ବିଜେପିର ବ୍ୟାକଅପ୍

ଶିବସେନା, କଂଗ୍ରେସ ଓ ଏନ୍‌ସିପି ସରକାର ଚାଲିଥିବା ବେଳେ ଶିବସେନାରେ ଫାଟ ହୋଇଥିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକ୍‌ନାଥ ସିନ୍ଦେ ବିଦ୍ରୋହ କରି ବିଜେପି ସହ ହାତ ମିଳାଇଥିଲେ। ଏଥିରେ ଶିବସେନା-କଂଗ୍ରେସ-ଏନ୍‌ସିପି ସରକାର ଭାଙ୍ଗିଯାଇଥିଲା। ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ଶିବସେନା ଦଳର ସବୁ କିଛି ସିନ୍ଦେଙ୍କ ପାଖରେ ରହିଥିଲେ ମଧ୍ୟ ସିନ୍ଦେ ଏ ପର୍ଯ୍ୟନ୍ତ ନିରଂକୁଶ ନୁହନ୍ତି। କାରଣ ସିନ୍ଦେ ଓ ତାଙ୍କ ସହ ଯାଇଥିବା ଶିବସେନା ବିଧାୟକଙ୍କ ସଦସ୍ୟତା ରହିବ କି ରଦ୍ଦ ହେବ ସେ ନେଇ ସନ୍ଦେହ ରହିଛି। ସୁପ୍ରିମକୋର୍ଟ ଏ ନେଇ ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ କହିସାରିଥିବା ବେଳେ ସିନ୍ଦେ ଓ ତାଙ୍କ ସହ ଯାଇଥିବା ୧୫ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ) ନେତା ସଞ୍ଜୟ ରାଉତଙ୍କ କହିବା ଅନୁସାରେ ଯେକୌଣସି ସମୟରେ ସିନ୍ଦେ ଓ ୧୫ ଶିବସେନା ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇଯିବ। ଫଳରେ ଏକନାଥ ସିନ୍ଦେଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଏଭଳି ଜଟିଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଜେପି ଏନ୍‌ସିପିରେ ବିଦ୍ରୋହ ସୃଷ୍ଟି କରାଇଛି।

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିବା ପରେ ବିଭାଗ ବଣ୍ଟନ ପାଇଁ କେବଳ ଫଡନାଭିସ ଓ ବିଜେପି ନେତାଙ୍କ ସହ ବୈଠକ କରିବା ସିନ୍ଦେଙ୍କ ସଦସ୍ୟତା ରଦ୍ଦ ହେବାର ଚର୍ଚ୍ଚାକୁ ବେଶୀ ଖୋରାକ ଯୋଗାଇଛି।

ମୁଖ୍ୟମନ୍ତ୍ରୀ ହେବେ ଅଜିତ!

ଏକନାଥ ସିନ୍ଦେଙ୍କ ସଦସ୍ୟତା ରଦ୍ଦ ହେବା ପରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବେ ନା ଅଜିତ ପାଓ୍ଵାରଙ୍କ ରାଜ୍ୟାଭିଷେକ ହେବ ସେ ନେଇ ମଧ୍ୟ ମହାରାଷ୍ଟ୍ର ରାଜନୀତିରେ ଜୋରଦାର ଚର୍ଚ୍ଚା। ଅଜିତ କେବଳ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଇନଥିବେ ବରଂ ମୁଖ୍ୟମନ୍ତ୍ରୀ ହେବାକୁ ନିଶ୍ଚିତ ଭାବେ ମୂଲଚାଲ କରୁଥିବେ ବୋଲି କହିଛନ୍ତି କିଛି ବରିଷ୍ଠ ନେତା। ସବୁବେଳେ କ୍ଷମତାରେ ରହିବାକୁ ଚାହୁଁଥିବା ଅଜିତଙ୍କ ପାଇଁ କେତେବେଳେ ବି କୌଣସି ନୈତିକତା ଓ ଅନୈତିକତାର ଆହ୍ଵାନ ନଥାଏ। ତେଣୁ ସ୍ଵାଭାବିକ ଭାବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ବାର୍ଗେନିଂ କରିଥିବେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

କେତେ ନିରାପଦ ଅଜିତ ବିଦ୍ରୋହୀ ବିଧାୟକ?

ଅଜିତ ଶପଥ ନେଇ ସାରିଛନ୍ତି। କିନ୍ତୁ ଏ ଖୁସି କେତେ ଦିନ ରହିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅଜିତଙ୍କ ମୁଣ୍ଡରେ ବି ଦଳ ବଦଳ ନିରୋଧୀ ଆଇନ ଖଣ୍ଡା ହୋଇଝୁଲୁଛି। ଦଳ ବିଭାଜନ ପାଇଁ ଯେତିକି ବିଧାୟକଙ୍କ ସମର୍ଥକ ଦରକାର ତାହା ଯଦି ଅଜିତ ଯୋଗାଡ଼ କରିନପାରିବେ ତେବେ ସେ ନିଜେ ଓ ତାଙ୍କ ସହ ଯାଇ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନଙ୍କ ପଦବୀ ମଧ୍ୟ ରଦ୍ଦ ହେବାର ସମ୍ଭାବନା ରହିଛି। ତେଣୁ ଏ ସରକାର ବି ସ୍ଥିର ନୁହେଁ ବୋଲି ଗୋଟେ ଗୋଷ୍ଠୀ ଆଲୋଚନା କରୁଛନ୍ତି।

ଏବେ ବି ପାଓ୍ଵାରଫୁଲ୍ ସିନିୟର ପାଓ୍ଵାର

ରାଜନୀତିରେ ଭୀଷ୍ମ ହେଲେ ସିନିୟର ପାଓ୍ଵାର ଶରଦ ପାଓ୍ଵାର। ଚାଣକ୍ୟ ଭଳି ସେ ଚତୁର। ତେଣୁ ଅଜିତଙ୍କ ଏହି ବିଶ୍ଵାସଘାତକତାକୁ ସହି ଶରଦ ନୀରବରେ ବସିବେ ନାହିଁ। ଶରଦଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତା’ର ଖବର ସିନିଅର ପାଓ୍ଵାରଙ୍କ କ୍ୟାମ୍ପରୁ ଯାଇ ଜୁନିଅର ପାଓ୍ଵାରଙ୍କ କ୍ୟାମ୍ପରେ ପହଞ୍ଚି ସାରିଛି। ତେଣୁ ଅଜିତଙ୍କ ସମର୍ଥନରେ ଯାଇଥିବା ବିଧାୟକ ଏବେ ୟୁ ଟର୍ଣ୍ଣ ମାରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଯଦି ଅଜିତଙ୍କ କଥାରେ ଯାଇଥିବା ବିଧାୟକ ଶରଦଙ୍କ କଥାରେ ଫେରି ଆସନ୍ତି, ତେବେ ଅଜିତ କୋଉ କୂଳର ହେବେ ନାହିଁ। ରାଜନୀତି ସମୀକ୍ଷକଙ୍କ ମତରେ  ଉଦ୍ଧବ ଠାକ୍‌ରେ ଓ ଶରଦ ପାଓ୍ଵାରଙ୍କ ଭିତରେ ଆକାଶ ପାତାଳର ଫରକ। ତେଣୁ ଶିବସେନା ଭଳି ଏନ୍‌ସିପିକୁ ଭାଙ୍ଗିବା ବିଜେପି ପାଇଁ ସହଜ ହୋଇନପାରେ।

ଧୋକ୍କା ଦେଲେ ପ୍ରଫୁଲ୍ଲ ପଟେଲ

ପ୍ରଫୁଲ୍ଲ ପଟେଲ ଶରଦ ପାଓ୍ଵାରଙ୍କୁ ଧୋକ୍କା ଦେଲେ। ନିଜେ ଶରଦ ପାଓ୍ଵାର ଏ କଥା କହିଛନ୍ତି। ଶରଦଙ୍କର ପ୍ରଫୁଲ୍ଲଙ୍କ ଉପରେ ଅଗାଧ ବିଶ୍ଵାସ ରହିଥିଲା। ତାଙ୍କର ଏହି ବିଶ୍ଵାସ ପାଇଁ ପ୍ରଫୁଲ୍ଲଙ୍କୁ ୟୁପିଏ ସରକାରରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରାଳୟ ମଧ୍ୟ ମିଳିଥିଲା। ଏପରିକି ନିକଟରେ ସାଂଗଠନିକ ପୁନର୍ବିନ୍ୟାସରେ ପୁତୁରା ଅଜିତଙ୍କୁ କୌଣସି କ୍ଷମତା ଦେଇ ନଥିବା ବେଳେ ପ୍ରଫୁଲ୍ଲଙ୍କୁ ଦଳର ମହାସଚିବ ପଦ ଦେଇଥିଲେ ଶରଦ। କିନ୍ତୁ ଏନ୍‌ସିପିରେ ବିଧାୟକଙ୍କ ବିଦ୍ରୋହରେ ପ୍ରଫୁଲ୍ଲଙ୍କ ଭୂମିକା ପାଇଁ ତାଙ୍କୁ ଶରଦ ବିଶ୍ଵାସଘାତକତାର ଆଖ୍ୟା ଦେଇଛନ୍ତି। ସୋମବାର ଦିନ ପ୍ରଫୁଲ୍ଲଙ୍କୁ ଦଳରୁ ବହିଷ୍କାର କରିଛି ଏନସିପି।

ବିଜେପିକୁ ୨୦୨୪ର ଚିନ୍ତା

ଆଗାମୀ ୨୦୨୪ରେ ସାଧାରଣ ନିର୍ବାଚନ। ମହାରାଷ୍ଟ୍ରରେ ସରକାର ରହିବା ବିଜେପି ପାଇଁ ଗୋଟେ ବଡ଼ ଆବଶ୍ୟକତା। ସେଥିପାଇଁ କୌଣସି ବି ପରିସ୍ଥିତିରେ ଏଠାରେ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି। କାରଣ ଏଠାରେ ସରକାର ଭାଙ୍ଗିଗଲେ ବିଜେପି ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ଯାହାର ପ୍ରଭାବ ସାଧାରଣ ନିର୍ବାଚନ ଫଳାଫଳ ଉପରେ ପଡ଼ିବ ବୋଲି ବିଜେପି ଆଶଙ୍କା କରୁଛି।

Tags: #Politics #IndianPolitics #MaharashtraPolitics #SaradPawar #AjitPawar #NCP #BJP

Comment