ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁରୁଷୋତ୍ତମ ମହାନ୍ତିଙ୍କ ମୃତଦେହ ପାଇଲେ ପରିବାର ଲୋକ। ମୃତ୍ୟୁ ଖବର ଯେତିକି କଷ୍ଟ ଦେଇଥିଲା ତା’ଠାରୁ ଯନ୍ତ୍ରାଦାୟକ ଥିଲା ମାସେ ପରେ ପୁରୁଷୋତ୍ତମଙ୍କ ଦାହ ସଂସ୍କାର କାର୍ଯ୍ୟ।

ମୃତ ପୁରୁଷୋତ୍ତମଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବ୍ଲକ ଏନ୍ତୁଳାପୁର ଗାଁରେ। ଜୁନ ୨ ତାରିଖ, ଶୁକ୍ରବାର ଦିନ ଦୁଇ ପଇସା ରୋଜଗାର କରିବା ଆଶାରେ କରମଣ୍ଡଳ ଏକ୍ସପ୍ରେସରେ କୋଲକାତା ଯାଉଥିଲେ ପୁରୁଷୋତ୍ତମ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ।

ଏହି ସିରିଜ ରେଳ ଦୁର୍ଘଟଣାରେ ଚାଲିଯାଇଛି ପ୍ରାୟ ୩୦୩ ଜଣଙ୍କର ଜୀବନ। ମୃତକଙ୍କ ମଧ୍ୟରେ ରହିଛନ୍ତି ଏନ୍ତୁଳାପୁର ଗାଁର ପୁରୁଷୋତ୍ତମ। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ମୃତାହତଙ୍କ ମଧ୍ୟରୁ ପୁରୁଷୋତ୍ତମଙ୍କୁ ଖୋଜି ପାଇନଥିଲେ ପରିବାର ଲୋକ। ମନରେ ଆଶା ଥିଲା ଫେରିଆସିବେ ସେ। କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା। ଦୁର୍ଘଟଣାର ମାସେ ପରେ ପରିବାର ଲୋକଙ୍କୁ ପୁରୁଷୋତ୍ତମଙ୍କ ମୃତଦେହ ହସ୍ତାନ୍ତର କରିଥିଲେ ଏମ୍ସ ପର୍ତ୍ତୃପକ୍ଷ।

ଗୁରୁବାର ଦିନ ତାଙ୍କ ମୃତଦେହ ଏନ୍ତୁଳାପୁରରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ଯାତ୍ରୀଙ୍କ ମୃତ ଦେହ ଚିହ୍ନଟ ହୋଇନପାରି ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ କଣ୍ଟେନରରେ ସଂରକ୍ଷିତ ରହିଛି। ମୃତକଙ୍କ ପରିଚୟ ପାଇଁ ଡିଏନଏ ଟେଷ୍ଟ ପାଇଁ ନମୁନା ଦିଲ୍ଲୀକୁ ପଠାଯାଇଥିବାବେଳେ ଏହାର ରିପୋର୍ଟ ଆସିଛି। ରିପୋର୍ଟ ଆଧାରରେ ପୁରୁଷୋତ୍ତମଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Tags: #BahanagaTrainTragedy #Death #DeadbodyIdentification #Kendrapara

Comment