ଓଡ଼ିଶାଲାଇଭ୍ ବ୍ୟୁରୋ

 

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କରିବାକୁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବୁଧବାର ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ପୀଠରେ ବିଭିନ୍ନ ବିକାଶମୂଳକ କାମ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ରକଳ୍ପରେ ଗୁପ୍ତେଶ୍ୱର ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ କରାଯିବା ସହ ଏଥିରେ ଆଲୋକୀକରଣର ବ୍ୟବସ୍ଥା କରାଯିବ। ଏହାଛଡ଼ା ମନ୍ଦିରର ପାଦଚଲା ରାସ୍ତାରେ ଖଣ୍ଡାଲାଇଟ ପଥର ବିଛାଯିବ। ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ କରାଯିବ।

ସେହିପରି ପୀଠରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ ନିର୍ମାଣ ହେବ। ଏହାଛଡ଼ା ଗୁମ୍ଫାର ଆଲୋକୀକରଣ ଏବଂ ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ କରାଯିବ। ଏହାସହ ଗୁପ୍ତେଶ୍ଵର ମନ୍ଦିର ନିକଟରେ ଥିବା ଉଠା ଦୋକନୀମାନଙ୍କ ଥଇଥାନ ପାଇଁ ନୂତନ ଦୋକାନ ଘର ନିର୍ମାଣ କରାଯିବ। ଏଠାରେ ଭୂସ୍ଖଳନ ନିରୋଧ ଓ ପାହାଡ଼ର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବା ସହ  ବୃକ୍ଷରୋପଣ ମଧ୍ୟ କରାଯିବ।

ଗୁପ୍ତେଶ୍ୱର ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ପାଇଁ ଯୋଜନା କରାଯାଇଛି। ପୀଠର ରୂପାନ୍ତରଣ କାର୍ଯ୍ୟବେଳେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଯେପରି କୌଣସି ଆଞ୍ଚ ନ ଆସେ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି।

ଏହାପୂର୍ବରୁ ଫେବ୍ରୁଆରି ୩ ତାରିଖରେ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ କୋରାପୁଟ ଜିଲ୍ଲା ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ଏଠାରେ ସେ ପୀଠର ରୂପାନ୍ତରଣ ତଥା ସୌନ୍ଦର୍ଯ୍ୟକରଣ ବାବଦରେ ମନ୍ଦିରର ସେବାୟତ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେ ପୀଠର ଉନ୍ନତିକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

Tags: #GupteswarTemple #Transformation #Redevelopment #Koraput

Comment