ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଗୁଣିଗାରେଡ଼ି ତଥା ଖଟ ବୁଲାଇ ଚୋର ଧରିବା ଭଳି ଅନ୍ଧବିଶ୍ଵାସ ଏବେବି ଲୋକଙ୍କ ମନରୁ ଯାଇନି। ଏହି ଅନ୍ଧବିଶ୍ଵାସର କରୁଣ ପରିଣତି ଭୋଗିବାକୁ ପଡ଼ିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଫକୀରକୁମାର ଗାଁର ତିନି ପରିବାରକୁ। ଚୋରି ଅଭିଯୋଗରେ ଗ୍ରାମର ୩ଟି ପରିବାରକୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ଗାଁ ଲୋକଙ୍କ ସହ ମିଳାମିଶା ଏବଂ ନିଆଁ ପାଣି ବନ୍ଦ କରାଯାଇଛି ଏମାନଙ୍କୁ। ଦୀର୍ଘ ୧୪ ମାସ ହେଲା ବାସନ୍ଦ ଅବସ୍ଥାରେ ରହିଛନ୍ତି ଫକୀରକୁମାର ଗାଁର ୩ ପରିବାରର ୩୦ ଜଣ ସଦସ୍ୟ।

କ’ଣ ଥିଲା ପୂରା ଘଟଣା?

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମର ସୁକାନ୍ତ ଭୋକ୍ତାଙ୍କ ଘରୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଚୋରି ହୋଇଥିଲା। ଘରୁ ୨ଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ହୋଇଥିବା ଗାଁ କମିଟିରେ ଜଣାଇଥିଲେ ସୁକାନ୍ତ। କିନ୍ତୁ ଏ ନେଇ ସୁକାନ୍ତ ଥାନାରେ ଅଭିଯୋଗ କରିନଥିଲେ।

ପରେ ଗାଁରେ ଗୁଣିଆ ଡାକି ଚୋର ଧରିବାକୁ ଗାଁ କମିଟିରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ମୋଟା ଅଙ୍କର ଟଙ୍କା ଦେଇ ଗାଁରେ ଖଟବୁ ଲାଇବାକୁ ବାହାରୁ ଗୁଣିଆ ଡାକି ଥିଲେ ଗ୍ରାମବାସୀ। ପୂଜାପାଠ କରାଯାଇ ରାତିରେ ଖଟ ବୁଲା କାମ ଆରମ୍ଭ ହୋଇଥିଲା। ଖଟ ବୁଲିବା ସମୟରେ ଗ୍ରାମର ନାରାୟଣ ବାରିକ ଓ ବିଜୟ ପ୍ରଧାନଙ୍କ ଦେହରେ ବାଜିଥିଲା। ଏହା ପରେ ନାରାୟଣ ଏବଂ ବିଜୟ ସୁନା ଗହଣା ଏବଂ ଟଙ୍କା ଚୋରି କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଦୁଇ ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବା ଲାଗି ଗ୍ରାମବାସୀ ଅଡ଼ି ବସିଥିଲେ।

ଏହିପରି ଅଭିଯୋଗ ଠିକ୍ ନୁହେଁ ବୋଲି ଗାଁ କମିଟି ସଭାପତି ଏକାଦସୀ ମାଝି ବାରଣ କରିବା ସହ ଚୋରି ସମ୍ପର୍କରେ ଥାନାରେ ଜଣାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାଙ୍କୁ ମଧ୍ୟ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ତାଙ୍କୁ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ବାବଦକୁ ଦେବା ଲାଗି ଗ୍ରାମବାସୀ ବାଧ୍ୟ କରିଥିଲେ।

ଏହା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନାରାୟଣ ବାରିକ, ବିଜୟ ପ୍ରଧାନ ଏବଂ ଏକାଦସୀ ମାଝିଙ୍କୁ କଙ୍ଗାରୁ କୋର୍ଟରେ କୁହାଯାଇଥିଲା। କିନ୍ତୁ ଟଙ୍କା ନଦେବାରୁ ଏହି ତିନି ଜଣଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବା ସହ ନିଆଁ ପାଣି ବନ୍ଦ କରାଯାଇଥିଲା।

ରାଗରେ ଗ୍ରାମବାସୀ ଏକାଦସୀଙ୍କ ଧାନଗଦାରେ ନିଆଁ ଲଗେଇ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ଏକାଦସୀ ଏବଂ ତାଙ୍କ ପରିବାର।

ଗାଁରୁ ବାସନ୍ଦ ହେବା ପରେ ଏହି ୩ ପରିବାର ଜିଲ୍ଲାପାଳ ଏବଂ ଏସପିଙ୍କ ନିକଟକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ। ଗାଁରେ ମିଳାମିଶା କରାଇଦେବାକୁ ଗୁହାରି ମଧ୍ୟ କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଏକାଦସୀ ଓ ନାରାୟଣ ବାରିକ।

ମଙ୍ଗଳବାର ଦିନ ନୂଆ ଜିଲ୍ଲାପାଳ ଯୋଗଦେବା ପରେ ଏକାଦସୀ ଏବଂ ତାଙ୍କ ପରିବାର ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ଗାଁରେ ମିଶାଇଦେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଘଟଣା ସମ୍ପର୍କରେ ବୁଝିବାକୁ ଜିଲ୍ଲାପାଳ କହିଥିବାବେଳେ ଏହି ଘଟଣାର ତଦନ୍ତ କରି କରାଯିବ ବୋଲି ବୌଦ୍ଧ ଏସପି କହିଥିବା ଏକାଦସୀ ମାଝି କହିଛନ୍ତି।

Tags: #Boudh #KangarooCourt #TheftAllegation

Comment