ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତର ବହୁ ପ୍ରତୀକ୍ଷୀତ ‘ଚନ୍ଦ୍ରଯାନ-୩’ ମିଶନ ଲଞ୍ଚ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହାକୁ ଲଞ୍ଚ କରାଯିବ। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱାନ ସ୍ପେସ୍ ଷ୍ଟେସନରୁ ଏଲଏମଭି ୩ ରକେଟ ମାଧ୍ୟମରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ର ପୃଷ୍ଠକୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ଏହି ‘ଚନ୍ଦ୍ରଯାନ-୩’ ମିଶନ ପାଇଁ ଗୁରୁବାର ଇସ୍ରୋ ପକ୍ଷରୁ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା। ଲଞ୍ଚ ହେବାପରେ ଅଗଷ୍ଟ ୨୩ ତାରିଖରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରିବାକୁ ଇସ୍ରୋ ଯୋଜନା କରିଛି। ଏହି ‘ଚନ୍ଦ୍ରଯାନ-୩’ ମିଶନ ପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏଥର ‘ଚନ୍ଦ୍ରଯାନ-୩’ ମିଶନରେ କେବଳ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣକୁ ଗୁରୁତ୍ଵ ଦିଆଯାଇଛି। ଚନ୍ଦ୍ରଯାନ-୨ ଭଳି ଏଥିରେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଅର୍ବିଟର ଲଗାଯାଇ ନାହିଁ। ଏହା ବଦଳରେ ଏଥର କେବଳ ଲ୍ୟାଣ୍ଡର ଓ ରୋଭରକୁ ଚନ୍ଦ୍ରଯାନ-୩ରେ ସାମିଲ କରାଯାଇଛି। ଏଥିରେ ପୂର୍ବାପେକ୍ଷା ଅଧିକ ଇନ୍ଧନ ଓ ସଫଳ ଅବତରଣ ଚନ୍ଦ୍ରପୃଷ୍ଠରେ ବଡ଼ ଲ୍ୟାଣ୍ଡିଂ ସାଇଟ ବଛା ଯାଇଛି।

ଏବେ ‘ଚନ୍ଦ୍ରଯାନ-୩’ ଜରିଆରେ ଏହି ମୁନ ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସଫଳ ରୂପାୟନ କରିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ଚନ୍ଦ୍ରଯାନ-୩’ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ କଲେ, ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

Comment