ଶୁଭଲକ୍ଷ୍ମୀ ବ

ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ପ୍ରାଚୀନ କଳାକୃତି ସଂଗ୍ରହ ନିଶାରୁ ଜନ୍ମ ନେଇଛି ‘ଗୋପୀନାଥ ଐତିହ୍ୟ ସଂଗ୍ରହାଳୟ’। ଏହି ନିଆରା ସଂଗ୍ରହାଳୟକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ରିପୋର୍ଟ।

ବରଗଡ଼ର ରାମଶାଇ କଂସା ବେଲା ହେଉ କି ପାଇକ ସଂଗ୍ରାମର ମୁଦ୍‌ଗର। ଦୁଦୁରାଫୁଲିଆ ବେଲା ହେଉ ଅବା ରଙ୍ଗସରସିଆ ଥାଳି। ଏସବୁ ଶୋଭା ପାଉଛି ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟରେ। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁ ପ୍ରାଚୀନ କଳାକୃତି ସଂଗ୍ରହ କରୁକରୁ ପ୍ରତିଷ୍ଠା କରିଥିଲେ ଏକ ନିଆରା ସଂଗ୍ରହାଳୟ।

ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ସାହୁ ଭୁବନେଶ୍ଵରର ଜାଗମରା ତୁଳସୀ ବିହାରରେ ରୁହନ୍ତି। ବାପା ଜଣେ କଂସା କାରିଗର। ବାପାଙ୍କଠାରୁ ପ୍ରେରଣା ପାଇ ଦୀର୍ଘ ୩୫ ବର୍ଷ ହେଲା କଂସା ଓ ପିତଳ ସାମଗ୍ରୀ ସଂଗ୍ରହ କରୁଛନ୍ତି ସୁଦର୍ଶନ। ଓଡ଼ିଶାର ୬୨ଟି କଂସାରୀ ଗାଁ ସହ ପଶ୍ଚିମବଙ୍ଗର କିଛି ଅଞ୍ଚଳରୁ ଅନେକ ପ୍ରାଚୀନ କଳାକୃତି ସେ ସଂଗ୍ରହ କରିଛନ୍ତି। ନିଜର ସଂଗ୍ରହକୁ ନେଇ ସେ ଏକ ସଂଗ୍ରହାଳୟ କରିଛନ୍ତି। ଏହି ସଂଗ୍ରାହଳୟର ନାଁ ରଖିଛନ୍ତି ‘ଗୋପୀନାଥ ଐତିହ୍ୟ ସଂଗ୍ରହାଳୟ’।

୨୦୧୪ ମସିହାରେ ଭୁବନେଶ୍ଵର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଡେପୁଟି ରିଜିଓନାଲ୍ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଥିଲେ ସୁଦର୍ଶନ। ଅବସର ପରେ ଏବେ ତାଙ୍କର ପୂରା ସମୟ ବିତୁଛି ସଂଗ୍ରହାଳୟରେ।

ଲୁପ୍ତପ୍ରାୟ ପ୍ରାଚୀନ କଳାକୃତିର ଗନ୍ତାଘର ପାଲଟିଛି ‘ଗୋପୀନାଥ ଐତିହ୍ୟ ସଂଗ୍ରହାଳୟ’। କଂସାରୀ କୂଳର କଳା କାରିଗରୀ ଓ ଗାରିମା ବହନ କରୁଛି ଏହି ସଂଗ୍ରହାଳୟ। ଭିନ୍ନ ଭିନ୍ନ କଳାକୃତିକୁ ଏକାଠି କରି ତାକୁ ସଂଗ୍ରହାଳୟର ରୂପ ଦେଇଛନ୍ତି ସୁଦର୍ଶନ ସାହୁ। ତାଙ୍କ ସଂଗ୍ରହାଳୟରେ ଏବେ ପ୍ରାୟ ୪ ହଜାର ପ୍ରାଚୀନ କଳାକୃତି ସ୍ଥାନ ପାଇଛି। ସେଥିରୁ ୧ ହଜାର କେବଳ ଆଦିବାସୀ କଳାକୃତି ରହିଛି। ୨୫ଟି ଭିନ୍ନ ଭିନ୍ନ ଗ୍ୟାଲେରୀରେ ସେ ସବୁକୁ ସାଇତି ରଖିଛନ୍ତି ସୁଦର୍ଶନ।

ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ହେଉଛି ପ୍ରାଇଡ ଗ୍ୟାଲେରୀ। ଯେଉଁଠି ରହିଛି ବିଭିନ୍ନ ଐତିହ୍ୟ ସ୍ମାରକୀ। ପାଇକ ବିଦ୍ରୋହର ଅନେକ ଅସ୍ତ୍ର ଶୋଭା ପାଉଛି ଏହି ଗ୍ୟାଲେରୀରେ। ଏହାର ଅନ୍ୟତମ ଆକର୍ଷଣ ହେଉଛି ପ୍ରାୟ ୪୦୦ ବର୍ଷ ପୁରୁଣା ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳର ପିତଳ ଗହଣା ବାକ୍ସ। ସେହିପରି ଆଉ ଗୋଟିଏ ଦୁର୍ମୂଲ୍ୟ ସଂଗ୍ରହ ହେଉଛି ୫ କେଜି ଓଜନର ପିତଳ ନଳିତାଲା। ଏହା ପ୍ରାୟ ୨ ଶହ ବର୍ଷ ପୁରୁଣା ବୋଲି ସୁଦର୍ଶନ ସାହୁ କହିଛନ୍ତି।

ଏହି ନିଆରା ସଂଗ୍ରହ ନିଶା ଯେବେ ତାଙ୍କୁ ଘାରିଥିଲା, ସେ ପ୍ରଥମେ ପଖାଳ କଂସା ବେଲା ଓ କଂସା ଥାଳି ସଂଗ୍ରହ ଆରମ୍ଭ କରିଥିଲେ।।ଏବେ ତାଙ୍କ ପଖାଳ କଂସା ଗ୍ୟାଲେରୀରେ ରହିଛି ୫ କେଜି ଓଜନର ପୋଚ କଂସା, ରାମଶାଇ, ଦୁଦୁରାଫୁଲିଆ, ହାତୀ ପାହୁଲିଆ ଭଳି ଏକାଧିକ କଂସା ବେଲା। ହାତ ଗଣତି କିଛି କଳାକୃତିରୁ ଆରମ୍ଭ ହୋଇ ଏବେ ତାଙ୍କ ସଂଗ୍ରହାଳୟରେ ରହିଛି ଏକାଧିକ ଲୁପ୍ତପ୍ରାୟ ମୂଲ୍ୟବାନ ସାମଗ୍ରୀ।

ଚାକିରିରୁ ଅବସର ନେବା ପରେ ସଂଗ୍ରହାଳୟରେ ବିତୁଛି ସୁଦର୍ଶନଙ୍କର ପୂରା ସମୟ। ସଂଗ୍ରହାଳୟ ପାଇଁ ପତ୍ନୀ ଓ ପିଲାମାନଙ୍କ ସହଯୋଗ ଏ ଦିଗରେ ଆଗକୁ ବଢ଼ିବାକୁ ଉତ୍ସାହିତ କରିଛି ବୋଲି ସୁଦର୍ଶନ ସାହୁ କହିଛନ୍ତି।

ନିଜସ୍ଵ ଖର୍ଚ୍ଚରେ ସଂଗ୍ରହାଳୟ କରିବା ସହ ସେ ତା’ର ରକ୍ଷଣାବେକ୍ଷଣା ନିଜେ କରୁଛନ୍ତି। ଅବସର ପରେ ନିରାଶ ନହୋଇ ଜୀବନକୁ ଏକ ନୂଆ ଢଙ୍ଗରେ ବଞ୍ଚିବାକୁ ପ୍ରୟାସ କରିଛନ୍ତି ସୁଦର୍ଶନ ସାହୁ।

Tags: #BrassAndBellMetalMuseum #SudarshanSahu #Hobby #Collection

Comment