ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେଉଛି ଟେଷ୍ଟ ସିରିଜର ଦ୍ଵିତୀୟ ମୁକାବିଲା। ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନରେ ଖେଳାଯିବାକୁ ଥିବା ଏହି ମ୍ୟାଚଟି ଉଭୟ ଦଳ ମଧ୍ୟ ୧୦୦ତମ ଟେଷ୍ଟ ମ୍ୟାଚ ହେବାକୁ ଯାଉଛି। ଭାରତ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ସୁବିଧାଜନକ ସ୍ଥିତିରେ ରହିଛି। ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ କରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବାକୁ ଓହ୍ଲାଇବ। ତେବେ ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ମଧ୍ୟ ଖେଳିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ଟେଷ୍ଟର ହିରୋ ଯଶସ୍ଵୀ ଜୟସ୍ଵାଲ ଏହି ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି।

ତେବେ ଏହି ତ୍ରିନିଦାଦ ଟେଷ୍ଟରେ ସ୍ପିନ ବୋଲରଙ୍କ ରାଜୁତି ରହିବ। ଭାରତୀୟ ସ୍ପିନ ଯୋଡ଼ି ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜା ନିଜର ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ହଇରାଣ କରିବାର ସମ୍ଭାବନା ରହିଛି।

ସେହିପରି ମ୍ୟାଚରେ ବିରାଟ କୋହଲୀ, ଶୁଭମନ ଗିଲ୍‌, ଇଶାନ କିଶନ, ମହମ୍ମଦ ସିରାଜ୍‌ ଓ ଶାର୍ଦୁଳ ଠାକୁରଙ୍କ ଖେଳ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଏହି ଐତିହାସିକ ଟେଷ୍ଟକୁ ଜିତି ସିରିଜ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏ ଯାଏଁ ଖେଳାଯାଇଥିବା ୯୯ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୪୭ଟି ଭାରତରେ ଖେଳାଯାଇଥିବା ବେଳେ ୱେଷ୍ଟଇଣ୍ଡିଜରେ ୫୨ଟି ମ୍ୟାଚ ଖେଳାଯାଇଛି। ଏହି ୯୯ଟି ଟେଷ୍ଟରୁ ଭାରତ ୨୩ଟି ଜିତିଥିବାବେଳେ ୱେଷ୍ଟଇଣ୍ଡିଜ୍ ୩୦ଟି ମ୍ୟାଚ ଜିତିଛି। ଦୁଇ ଦଳ ମଧ୍ୟରେ ୪୬ଟି ଟେଷ୍ଟ ଡ୍ର ରହିଛି।

ଦୁଇ ଦେଶମଧ୍ୟରେ ୧୯୪୮ ମସିହା ନଭେମ୍ବର ୧୦ ତାରିଖରୁ ୧୪ ତାରିଖ ଯାଏଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ୯୦ ଦଶକ ଯାଏଁ ୱେଷ୍ଟଇଣ୍ଡିଜ୍ ଟେଷ୍ଟ କ୍ରିକେଟର ଏକ ମହାଶକ୍ତି ଭାବେ ପରିଗଣିତ ହେଉଥିଲା। ଏହାପରେ ୨୦୦୦ ମସିହା ପରଠୁ ଟେଷ୍ଟରେ ଦଳର ପ୍ରଦର୍ଶନ ଖରାପ ହେବାରେ ଲାଗିଲା। ଏହାପରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭଲ ପ୍ରଦର୍ଶନ କରି ୨୦୦୨ ମସିହାରୁ ଏ ଯାଏଁ କୌଣସି ଟେଷ୍ଟ ମ୍ୟାଚ ହାରି ନାହିଁ।

Tags: #India-WestIndiesTest #100thTest #INDIAvsWestIndies #TestCricket #BCCI

Comment