ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ହିଂସାକୁ ନେଇ ଏବେ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଛି। ଏବେ ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)। ଏହି ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି।

ବୁଧବାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଓ ବିଆରଏସ୍‌ ଅନାସ୍ଥା ପ୍ରସ୍ତାବ ଲାଗି ଲୋକସଭାରେ ନୋଟିସ୍‌ ଦାଖଲ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଗ୍ରହଣ ହେବା ପରେ ଏହା ବାବଦରେ ଆଗକୁ ଲୋକସଭାରେ ଆଲୋଚନା କରାଯିବ।

“କଂଗ୍ରେସ ଓ ବିଆରଏସ୍‌ ଦାଖଲ କରିଥିବା ଅନାସ୍ଥା ପ୍ରସ୍ତାବ ନୋଟିସକୁ ଲୋକସଭା ପକ୍ଷରୁ ଗ୍ରହଣ କରାଯାଇଛି। ଏହାକୁ ନେଇ ମୁଁ ସବୁ ରାଜନୈତିକ ଦଳଙ୍କ ସହ କଥାବାର୍ତ୍ତା କରିବି। ଏହାପରେ ନିୟମ ଅନୁସାରେ ଲୋକସଭାରେ ଏହାକୁ ନେଇ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରାଯିବ”, କହିଛନ୍ତି ଓମ ବିର୍ଲା।

କଂଗ୍ରେସ ପକ୍ଷରୁ ଲୋକସଭାରେ ଦଳର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟେରି ଜେନେରାଲଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଥିଲେ। ସେହିପରି ବିଆରଏସ୍ ପକ୍ଷରୁ ଲୋକସଭାରେ ଦଳର ନେତା ନାଗେଶ୍ଵର ରାଓ ଏହି ନୋଟିସ ଦେଇଥିଲେ।

ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରତିକ୍ରିୟା ରଖନ୍ତୁ ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଦାବି କରି ଆସୁଛନ୍ତି। ଏହି ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଗୁରୁବାର ଦିନ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ୫୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ ହୋଇଥାଏ। ଏହି ଅନାସ୍ଥା ପ୍ରସ୍ତାବ ଲୋକସଭାରେ ସରକାରଙ୍କ ସଂଖ୍ୟାଗରିଷ୍ଠତାକୁ ଚାଲେଞ୍ଜ୍‌ କରିବା ଲାଗି ବିରୋଧୀମାନଙ୍କୁ ଅନୁମତି ଦେଇଥାଏ। ଯଦି ଏହି ପ୍ରସ୍ତାବ ଗୃହୀତ ହୋଇଯାଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ।

ଏହାପୂର୍ବରୁ ୨୦୧୮ ମସିହାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ତେଲଗୁ ଦେଶିୟମ ପାର୍ଟି (ଟିଡିପି) ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏଥିରେ ପ୍ରସ୍ତାବ ସପକ୍ଷର ୧୨୬ଟି ଭୋଟ୍ ଆସିଥିବା ବେଳେ ଏହା ବିରୋଧରେ ୩୨୫ଟି ଭୋଟ୍ ମିଳିଥିଲା। ଏଥିପାଇଁ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଥିଲା।

Tags: #IndianParliament #Loksabha #NoConfidenceMotion #ManipurViolence #CentralGovt

 

Comment