ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କଟକ ଆସିଛନ୍ତି। ଏଠାରେ ସେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟ‌ୋଜିତ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଉପରେ ଗରୁତ୍ଵ ଦେବାକୁ ସେ କାର୍ଯ୍ୟକ୍ରମରେ କହିଛନ୍ତି।

“ଆଜିର ଦିନରେ ନ୍ୟାୟ ମିଳିବାରେ ବିଳମ୍ବ ହେବା ଚିନ୍ତାର ବିଷୟ ପାଲଟିଛି। ବିଳମ୍ବିତ ନ୍ୟାୟ ପାଇଁ ଅନେକ ନିର୍ଦୋଷ ଲୋକ ହଇରାଣ ହେଉଛନ୍ତି। ସେମାନଙ୍କ ଜୀବନ ଜେଲରେ କଟୁଛି। ସେହିପରି ନ୍ୟାୟ ମିଳିବାରେ ବିଳମ୍ବ ଯୋଗୁଁ ପୀଡ଼ିତ ମଧ୍ୟ ହତାଶ ହୋଇପଡ଼ୁଛନ୍ତି। ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଲେ ଏହା ଉଭୟ ପୀଡ଼ିତ ଓ ନିର୍ଦୋଷଙ୍କୁ ସହାୟକ ହେବ”, କହିଛନ୍ତି ଦ୍ରୌପଦୀ ମୁର୍ମୁ।

ସେ ଆହୁରି ମଧ୍ୟ କହିଛନ୍ତି, “ସମାଜର ଅନେକ ବର୍ଗ ନିଜର ଆଇନଗତ ମାମଲା ଲଢ଼ିବାକୁ ସମର୍ଥ ହେଉନାହାନ୍ତି। ସେମାନଙ୍କୁ କିଭଳି ଆଇନ ସହାୟତା ମିଳିପାରିବ ସେ ନେଇ ଗୁରୁତ୍ଵ ଦିଆଯିବା ଦରକାର। ସେମାନଙ୍କୁ ଏବେ କିଛି ଆଇନଜୀବୀ ମାଗଣାରେ ଆଇନ ସେବା ଯୋଗାଉଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”

ସେ ଆହୁରି କହିଛନ୍ତି, “ଓଡ଼ିଶା ହାଇକୋର୍ଟ ପାଇଁ ଆଜି ହେଉଛି ଏକ ସ୍ମରଣୀୟ ଦିନ। ମାତ୍ର ୪ ଜଣ ବିଚାରପତିଙ୍କୁ ନେଇ ଆରମ୍ଭ ହୋଇଥିବା ଓଡ଼ିଶା ହାଇକୋର୍ଟ ଆଜି ନିଜର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବଧି ଭିତରେ ଅନେକ ସଫଳ ବିଚାରପତିଙ୍କୁ ସୃଷ୍ଟି କରିଛି ଏହି ହାଇକୋର୍ଟ। ଏହାସହ ନ୍ୟାୟିକ ପ୍ରକ୍ରିୟାରେ ଟେକ୍ନୋଲୋଜିର ପ୍ରୟୋଗ କରିବାରେ ଓଡ଼ିଶା ହାଇକୋର୍ଟ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।”

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ସେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାସହ କାରଗିଲ ଯୁଦ୍ଧରେ ଓଡ଼ିଶାର ସହିଦ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ କଥା ମଧ୍ୟ ନିଜ ଭାଷଣରେ ଉଲ୍ଲେଖ କରିଥିଲେ।

ଏଠାରେ ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକେଟ୍ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ରାଷ୍ଟ୍ରପତିଙ୍କୁ ଓଡିଶା ହାଇକୋର୍ଟର ଏକ ପ୍ରତିକୃତି ପ୍ରଦାନ କରିଥିଲେ। ଏହାପରେ ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟ ଜଷ୍ଟିସ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। 

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଜଷ୍ଟିସ ଶୁଭାଶିଷ ତଲାପାତ୍ର, ହାଇକୋର୍ଟ ବାର ଆସୋସିଏସନ ସଭାପତି ଧରଣୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବହୁ ଆଇନଜୀବୀ ଏବଂ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #PresidentDroupadiMurmu #OdishaVisit #OdishaHighcourt #PlatinumJubilee #Cuttack

Comment