ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ଏକ ପ୍ରତିନିଧି ଦଳ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏଥିରେ ବିଭିନ୍ନ ରାଜନୈତିକ ଦଳର ମୋଟ ୨୧ ଜଣ ନେତା ସାମିଲ ହୋଇଥିଲେ। ସେମାନେ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୂଚନା ଦେଇଛନ୍ତି।

ବିରୋଧୀ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁର ଘଟୁଥିବା ବିଭିନ୍ନ ଘଟଣା ଉପରେ ଆଲୋଚନା କରିଥିଲେ। ସେମାନେ ନିକଟରେ ମଣିପୁର ଗସ୍ତବେଳେ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବା ଓ ସେଠାକାର ଅବସ୍ଥା ବିଷୟରେ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ। ଏହାସହ ସେମାନେ ରାଷ୍ଟ୍ରପତିଙ୍କୁ ମଣିପୁର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

“ଆମେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ମଣିପୁରରେ ଘଟୁଥିବା ଅମାନବୀୟ ହିଂସା ଉପରେ ଆଲୋଚନା କରିଛୁ। ଇ-ଣ୍ଡି-ଆ ମେଣ୍ଟର ପ୍ରତିନିଧି ମଣିପୁର ଗସ୍ତବେଳେ ଯାହା ଦେଖିଲେ, ତାହା ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଆମେ ମଣିପୁର ପ୍ରସଙ୍ଗରେ ଯେଉଁ ସ୍ମାରକ ପତ୍ର ଦେଇଛୁ, ରାଷ୍ଟ୍ରପତି ତାକୁ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି”, କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ସେ ଆହୁରି ମଧ୍ୟ କହିଛନ୍ତି, “ମଣିପୁର ପ୍ରସଙ୍ଗରେ ସଂସଦରେ ମୁଁ ଏବଂ ବିରୋଧୀ ସାଂସଦମାନେ କିଛି କହିବାବେଳେ ଆମ ମାଇକ ବନ୍ଦ କରିଦିଆଯାଉଛି। କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଆଦୌ ଆଲୋଚନା କରିବାକୁ ଚାହୁଁନାହାନ୍ତି। ମଣିପୁର ମାମଲାରେ ସରକାର ଆମ ସ୍ଵରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି।”

ବିରୋଧୀ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁର ମାମଲାରେ ସଂସଦରେ କିଛି ଆଲୋଚନା କରଯାଉନଥିବା କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ସ୍ଥିତି ସମୀକ୍ଷା କରନ୍ତୁ ବୋଲି ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି।

ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଏନସିପି ନେତା ଶରଦ ପୱାର, ନାସନାଲ କାନଫରେନ୍ସ ନେତା ଫାରୁଖ ଅବଦୁଲ୍ଲା, ଡିଏମକେର କନିମୋଝୀ ଓ ତିରୁଚି ଶିବା, ଜେଡିୟୁର ଲଲନ ସିଂହ, ଶିବସେନାର ଅରବିନ୍ଦ ସାୱନ୍ତ ଏବଂ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ପ୍ରମୁଖ ସାମିଲ ଥିଲେ।

Tags: #ManipurViolence #OppositionLeaders #PresidentDroupadiMurmu #I-N-D-I-Aalliance

Comment