ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗୁରୁବାରଠାରୁ ବର୍ଷା କମିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ। ଫଳରେ ମହାନଦୀରେ ପାଣି ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବିକ ଛତିଶଗଡ଼ ଉପରେ ଥିବା ଅବପାତ ଏବେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଏହା ପ୍ରଭାବରେ ଛତିଶଗଡ଼ ସମେତ ପଶ୍ଚିମ ଓଡ଼ିଶାର ମହାନଦୀ ଉପରମୁଣ୍ଡ ଅଞ୍ଚଳରେ ଗୁରୁବାର ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମହାନଦୀରେ ପାଣି ବଢ଼ିଲେ ସତର୍କ ରହିବା ପାଇଁ କୁହାଯାଇଛି।

ଅନ୍ୟପଟେ ଅବପାତ ପ୍ରଭାବରେ ବୁଧବାର ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଓଡ଼ିଶାରେ ମୋଟ ଉପରେ ୪୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ଓଡ଼ିଶାର ସର୍ବାଧିକ ୧୯୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

ସେହିପରି ବୁଧବାର ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ର ପାନପୋଷରେ ୧୮୫.୬ ମିଲିମିଟର, ରାଉରକେଲାରେ ୧୭୫ ମିଲିମିଟର, ରାଜଗାଙ୍ଗପୁରରେ ୧୫୭.୩ ମିଲିମିଟର, ସୋନପୁର ଜିଲ୍ଲାର ବିନିକାରେ ୧୩୯ ମିଲିମିଟର ଓ କଟକର ନରସିଂହପୁରରେ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ତେବେ ବର୍ତ୍ତମାନ ଲଘୁଚାପ ସହ ମୌସୁମୀ ସକ୍ରିୟ ଥିବାରୁ ସମୁଦ୍ର ଅଶାନ୍ତ ରହିବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଗାମୀ ୧୨ ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ବାରଣ କରାଯାଇଛି।

Tags: #HeavyRainfall #Lowpressure #Mahanadi #MCBBSR

 

Comment