ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ଜାରି ରହିଥିବା ଜାତି ହିଂସା ଥମିବାର ନାଁ ନେଉନି। ହିଂସା ରୋକିବାକୁ ପ୍ରଶାସନ ଓ ସୁରକ୍ଷାବଳ ପକ୍ଷରୁ ଯେତେ ଚେଷ୍ଟା କରାଗଲେ ବି ଏଥିରେ ସଫଳତା ମିଳୁନି। ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଗୁରୁବାର ପୁଣି ପରିସ୍ଥିତି ଅଶାନ୍ତ ହୋଇଛି। ଏଠାରେ ହିଂସା ହେବା ସହ ଉତ୍ୟକ୍ତ ଲୋକମାନେ ପୁଲିସ ଅସ୍ତ୍ରାଗାରରୁ ଶତାଧିକ ବନ୍ଧୁକ ସହ ପ୍ରାୟ ୨୦ ହାଜର ଗୁଳି ଲୁଟି ନେଇଛନ୍ତି।
ହିଂସାବେଳେ ଶତାଧିକ ଲୋକ ବିଷ୍ଣୁପୁରର ନରଣସେନିଆ ସ୍ଥିତ ‘ସେକେଣ୍ଡ୍ ଇଣ୍ଡିଆ ରିଜର୍ଭ ବାଟାଲିୟାନ୍’ର (ଆଇଆରବି) ମୁଖ୍ୟାଳୟରେ ପଶିଯାଇଥିଲେ। ପୋଲିସ ଓ ଆଇଆରବି ଯବାନମାନେ ଭିଡ଼କୁ ରୋକିବା ପାଇଁ ଗୁଳି ଚଳାଇଥିଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ଏହାକୁ ଖାତିର ନକରି ଅସ୍ତ୍ରାଗାର ଉପରେ ଆକ୍ରମଣ କରିଥିଲେ। ଉତ୍ୟକ୍ତ ଲୋକଙ୍କ ମଧ୍ୟରୁ କିଛି ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଏଥିରେ ୨୫ରୁ ଅଧିକ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି।
ମଣିପୁର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅସ୍ତ୍ରାଗାରରୁ ଲୋକମାନେ ୪ଟି ‘ଏକେ’ ସିରିଜ୍ ରଇଫଲ୍,୧୯୫ଟି ସେଲ୍ଫ୍-ଲୋଡିଙ୍ଗ ରାଇଫଲ୍, ୫ଟି ଏମପି-୫ ବନ୍ଧୁକ, ୧୬ଟି ପିସ୍ତଲ୍, ୨୫ଟି ବୁଲେଟପ୍ରୁଫ୍ ଜ୍ୟାକେଟ୍, ୨୧ଟି କାର୍ବାଇନ୍, ୧୨୪ଟି ହ୍ୟାଣ୍ଡ ଗ୍ରେନେଡ ଏବଂ ପ୍ରାୟ ୨୦ ହଜାର ଗୁଳି ଲୁଟି ନେଇଛନ୍ତି।
ଗୁରୁବାର ଚୁରାଚାନ୍ଦପୁର ଜିଲ୍ଲାରେ କୁକି ସମ୍ପ୍ରଦାୟ ପକ୍ଷରୁ ହିଂସାରେ ପ୍ରାଣ ହରାଇଥିବା ୩୫ ଜଣଙ୍କ ମୃତଦେହକୁ ସମୂହ ସାମାଧି ଦେବାପାଇଁ ଯୋଜନା କରାଯାଇଥିଲା। ତେବେ ଏହି ସମୟରେ ହିଂସା ଉପୁଜିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ସମୂହ ସାମାଧିକୁ ଅନୁମତି ଦିଆଯାଇନଥିଲା।
ଅନୁମତି ନମିଳିବା ସତ୍ତ୍ଵେ ଶତାଧିକ ଲୋକେ ସମୂହ ସାମାଧି ପାଇଁ ଯୋଜନା କରାଯାଇଥିବା ସ୍ଥାନରେ ଏକତ୍ରିତ ହେବା ଆରମ୍ଭ କରିଥିଲେ। ଭିଡ଼ ବଢ଼ୁଥିବା ଦେଖି ପୋଲିସ ପକ୍ଷରୁ ପ୍ରଥମେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରାଯାଇଥିଲା। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣା ସ୍ଥଳରେ ଲୋକମାନେ ସୁରକ୍ଷକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ସେମାନଙ୍କୁ ଘଉଡ଼େଇବା ପାଇଁ ଟିୟର ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା ପୋଲିସ। ଫଳରେ ସେଠାରେ ହିଂସା ଦେଖିବାକୁ ମିଳିଥିଲା। ଏହାପରେ ଏହି ହିଂସା ବିଷ୍ଣୁପୁର ଜିଲ୍ଲାକୁ ବ୍ୟାପି ଉଠିଥିଲା। ଶହ ଶହ ଲୋକମାନେ ଜିଲ୍ଲାର ଆଇଆରବି ୟୁନିଟ ଉପରେ ଅତର୍କିତ ଆକ୍ରମଣ କରିଥିଲେ।
Tags: #ManipurViolence #CommunityConflict #Manipur #India




















