ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ମହିଳା ଥାନାରେ ସୋମବାର ଦିନ ହାଜର ହୋଇଛନ୍ତି ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଠକେଇ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସୌରିନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଠକେଇ ଏବଂ ଯୌନ ନିର୍ଯାତନା ଦେଇଥିବା ନେଇ ଗତ ଜୁନ୍ ୧୨ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଜଣେ ଯୁବତୀ। ଯୁବତୀ ଜଣକ ପ୍ରଥମେ ଜଗତପୁର ଥାନାରେ ଅଭିଯୋଗ କରିବା ପରେ କଟକ ମହିଳା ଥାନାରେ ଏତଲା ଦେଇଥିଲେ।

ଯୁବତୀ ଜଣଙ୍କୁ ଗାୟିକା କରାଇଦେବାକୁ ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଏବଂ ଶାରୀରିକ ଭାବେ ନର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏହା ପରେ ସୌରିନ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଓଡ଼ିଶାରୁ ପୋଲିସର ଏକ ଟିମ୍ ପଶ୍ଚିମବଙ୍ଗସ୍ଥିତ ସୌରିନଙ୍କ ବାସଭବନକୁ ପହଞ୍ଚି ଥିଲା। କିନ୍ତୁ ତାଙ୍କର ଖୋଜଖବର ପୋଲିସକୁ ମିଳିନଥିଲା।

ଏହା ପରେ ଗରିଫ ଭୟରେ ସୌରିନ ଭଟ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୀଘ୍ର ଥାନାରେ ହାଜର ହୋଇ ପୋଲିସକୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ କୋର୍ଟ। କୋର୍ଟଙ୍କ ନିର୍ଦେଶ ପରେ ଆଜି ଥାନାରେ ହାଜର ହୋଇଥିଲେ ସୌରିନ।

ଥାନାରେ ହାଜର ହେବା ପରେ ସୌରିନ ଗଣମାଧ୍ୟମକୁ କହିଥିଲେ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ସମୟ ଆସିଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି।

Tags: #SourinBhatt #BollywoodSinger #Cuttack #MahilaPoliceStation

LEAVE A REPLY

Please enter your comment!
Please enter your name here