ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଦ୍ଵିତୀୟ ଦିନରେ ପହଞ୍ଚିଛି। ପ୍ରବଳ ହଙ୍ଗାମା ମଧ୍ୟରେ ଉଭୟ ବିରୋଧୀ ଓ ସରକାରଙ୍କ ସପକ୍ଷରେ ଥିବା ସାଂସଦମାନେ ଏହି ଅନାସ୍ଥା ବିତର୍କରେ ଚର୍ଚ୍ଚା କରିଛନ୍ତି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖି ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାସହ ସେ ମଣିପୁର ହିଂସା ରୋକିବା ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକୁ ଏଠାରେ ଉଲ୍ଲେଖ କରିଥିଲେ।

“କେନ୍ଦ୍ର ସରକାରଙ୍କ ଉପରେ ଦେଶର ଲୋକମାନଙ୍କର ଭରସା ରହିଛି। ବିରୋଧୀମାନେ କେବଳ ଲୋକମାନଙ୍କୁ ବିଭ୍ରାନ୍ତ କରିବାପାଇଁ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହା ସେମାନଙ୍କ ପ୍ରକୃତ ଚରିତ୍ରକୁ ଦର୍ଶାଉଛି। ବିରୋଧୀମାନେ ନିଜର ସ୍ଵାର୍ଥ ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଏଥିରେ ଲୋକଙ୍କ ମତ ଆଦୌ ନାହିଁ”, କହିଛନ୍ତି ଅମିତ ଶାହ।

ସେ ଆହୁରି ମଧ୍ୟ କହିଛନ୍ତି, “ସ୍ୱାଧୀନତା ପରଠୁ ଏଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ହିଁ ସବୁଠାରୁ ଅଧିକ ଲୋକଙ୍କ ବିଶ୍ୱାସ ଜିତିଛି। ସରକାର ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇ ବିକାଶକୁ ପ୍ରାଥମିକତା ଦେଇଛନ୍ତି। କେନ୍ଦ୍ର ସରକାର ଏହି ୯ ବର୍ଷ ମଧ୍ୟରେ ଏଭଳି କଠିନ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଲୋକେ ଅନେକ ଦିନ ଯାଏଁ ମନେ ରଖିବେ।”

ଗୃହମନ୍ତ୍ରୀ ବୁଧବାର ଲୋକସଭାରେ ମଣିପୁର ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହାସହ ସେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କୁ ମଣିପୁର ପ୍ରସଙ୍ଗରେ ରାଜନୀତି କରିବାକୁ ନେଇ ସମାଲୋଚନା କରିଥିଲେ।

ଗୃହମନ୍ତ୍ରୀ କହିଛନ୍ତି, “ମଣିପୁରରେ ହିଂସା ରୋକିବାକୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମୁଁ ନିଜେ ଦୁଇଥର ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛି। ମଣିପୁରେ ଆମେ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ସମୁଦାୟଙ୍କ ସହ ବୈଠକ ମଧ୍ୟ କରିଛୁ। ମଣିପୁରରେ ଏ ଯାଏଁ ହିଂସାରେ ସାମିଲଥିବା ପ୍ରାୟ ୧୫ ହଜାର ଲୋକଙ୍କୁ ଗିରଫ କରାଯାଇଛି।”

ବିରୋଧୀଙ୍କୁ ସମାଲୋଚନା କରି ଗୃହମନ୍ତ୍ରୀ କହିଥିଲେ, “ପୂର୍ବେ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ମଣିପୁରରେ ଅନେକ ଜାତି ହିଂସା ହୋଇଛି। ସେତେବେଳେ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ମନ୍ତ୍ରୀ ମଣିପୁର ଯିବା ତ ଦୂରର କଥା ହିଂସା ରୋକିବା ପାଇଁ ମଧ୍ୟ ବିଶେଷ ପଦକ୍ଷେପ ମଧ୍ୟ ନେଇ ନଥିଲେ।”

ବୁଧବାର ଲୋକସଭାରେ ଆଲୋଚନାବେଳେ ଗୃହମନ୍ତ୍ରୀ ଅମିତ ଶାହ ୧୯୯୭ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଥିଲେ। ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଗୋଟିଏ ଭୋଟ ଯୋଗୁଁ କିଭଳି ବାଜପେୟୀଙ୍କ ସରକାର ଭାଙ୍ଗି ଥିଲା ତାହା ମନେ ପକାଇଥିଲେ ଗୃହମନ୍ତ୍ରୀ।

ଅନ୍ୟପଟେ ଗୃହମନ୍ତ୍ରୀ ମଣିପୁର ହିଂସା ଭଳି ସମ୍ବେଦନଶୀଳ ମାମଲାରେ ରାଜନୀତି ନକରିବା ପାଇଁ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ସମସ୍ତେ ମିଳିମିଶି ଏହି ସମସ୍ୟାର ସମାଧାନ ପାଇଁ କାମ କରିବାକୁ ସେ କହିଛନ୍ତି।

Tags: #Loksabha #NoConfidenceMotion #AmitShah #ManipurViolence #Opposition #CentralGovt

Comment