ଓଡ଼ିଶାଲାଇଭ୍ ବ୍ୟୁରୋ

“ମଣିପୁର ବିଭାଜିତ ନୁହେଁ, ଏହା ଭାରତ ଏକ ଅବିଚ୍ଛିନ୍ନ ଅଙ୍ଗ”, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏଭଳି ଜବାବ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ।

ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ବୁଧବାର ଦିନ ରାହୁଲ ଗାନ୍ଧୀଙ୍କ ତୀର୍ଯ୍ୟକ ବାଣରେ କମ୍ପିଥିଲା ସଂସଦ ଭବନ। କେନ୍ଦ୍ର ସରକାର ମଣିପୁରକୁ ଭାରତ ବୋଲି ମାନୁନଥିବା କହିଥିଲେ ରାହୁଲ। ଏହା ସହିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି “ଏମାନେ ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରିଛନ୍ତି” କହିଥିଲେ ରାହୁଲ ଗାନ୍ଧୀ।

ରାହୁର ଗାନ୍ଧୀଙ୍କ ଏହି ବୟାନର କଡ଼ା ଜବାବ ରଖିଥିଲେ ସ୍ମୃତି ଇରାନୀ। ସେ କହିଥିଲେ, “ଯେତେବେଳେ ଭାରତ ମା’ର ହତ୍ୟା କରାଯିବା କଥା କୁହାଯାଉଛି ସେ ସମୟରେ କଂଗ୍ରେସ ନେତାମାନେ ତାଳିମାରି ସମର୍ଥନ କରୁଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଏମାନଙ୍କ ମନରେ ବେଇମାନୀ ଭରି ରହିଛି। ମଣିପୁର ମରିନାହିଁ, ବିଭାଜିତ ହୋଇ ନାହିଁ, ମୋ ଦେଶର ଅଂଶ ହେଉଛି ମଣିପୁର।”

“କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଚାହୁଁଛନ୍ତି କଂଗ୍ରେସ ନେତା”

ସ୍ମୃତି ଇରାନୀ ରାହୁଲଙ୍କ ଉଦ୍ଦେଶ୍ୟରେ କହିଥିଲେ, “ଆପଣଙ୍କ ସହଯୋଗୀ ଦଳର ନେତା ତାମିଲନାଡୁରେ କହିଥିଲେ ଭାରତର ଅର୍ଥ କେବଳ ଉତ୍ତର ଭାରତ। ରାହୁଲ ଗାନ୍ଧୀଙ୍କର ଯଦି ସାହସ ଅଛି ତେବେ ଡିଏମକେର ନିଜ ସାଥୀଙ୍କର ବୟାନକୁ ଖଣ୍ଡନ କରି ଦେଖାନ୍ତୁ। କଂଗ୍ରେସର ଜଣେ ନେତା କାଶ୍ମୀରକୁ ଭାରତଠାରୁ ଅଲଗା କରିବାକୁ ଆଲୋଚନା କରୁଛନ୍ତି। ଯଦି ସମ୍ଭବ ହୁଅନ୍ତା ଏମାନେ ଆଜି ପୁଣି କାଶ୍ମୀରରେ ୩୭୦ ଧାରା ଲଗେଇ ଦିଅନ୍ତେ।”

କଂଗ୍ରେସ ଇତିହାସ ରକ୍ତରେ ଜୁଡ଼ବୁଡ଼ୁ – ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ କହିଲେ, “ଆଜି ମୁଁ ସମସ୍ତଙ୍କ କଥା କହିବି। ଏମାନେ ନ୍ୟାୟର କଥା କହୁଛନ୍ତି, ଏମାନଙ୍କୁ କାଶ୍ମୀର ପଣ୍ଡିତମାନଙ୍କ ଦୁର୍ଦଶା କହିଁକି ଦେଖାଗଲାନି। କାଶ୍ମୀର ପଣ୍ଡିମାନଙ୍କୁ ଲହୁଲୁହାଣ କରାଯାଇଥିବା ଏହି ହିନ୍ଦୁସ୍ତାନ ଦେଖିଛି, ଯାହା କଂଗ୍ରେସ ଯୋଗୁଁ ହୋଇଥିଲା। ସେଠାକାର ଝିଅ ବୋହୂଙ୍କୁ ଦୁର୍ବ୍ୟବହାର କରାଯାଉଥିଲା, ସେଠାରେ ଆଇନର ଆଶ୍ରୟ ନଥିଲା। ସତ ଏହା ଯେ ଏମାନଙ୍କ ଇତିହାସ ରକ୍ତରଞ୍ଜିତ ଥିଲା।”

ସ୍ମୃତି ଇରାନୀ ନିଜ ଭାଷଣରେ ଗିରିଜା ଟିକ୍କୁ, ଶୀଲା ଭଟ୍ଟଙ୍କ ସହ ହୋଇଥିବା ଦୁର୍ଘଟଣା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ, ନିକଟରେ ରାଜସ୍ଥାନର ଭିଲବାଲାରେ ଜଣେ ୧୪ ବର୍ଷିୟ ଝିଅକୁ ଗଣଦୁଷ୍କର୍ମ କରାଯିବା ପରେ ତାକୁ ଟୁକୁଡ଼ା ଟୁକୁଡ଼ା କରି କାଟିଦିଆଗଲା। ପଶ୍ଚିମବଙ୍ଗରେ ଜଣେ ୬୦ ବର୍ଷିୟ ବୃଦ୍ଧାଙ୍କୁ ତାଙ୍କ ନାତି ଆଗରେ ଦୁଷ୍କର୍ମ କରାଗଲା, ସେତେବେଳେ ଏମାନଙ୍କ ମୁହଁରୁ ଗୋଟିଏ ବି କଥା ବାହାରିଲା ନାହିଁ। କିନ୍ତୁ ଆଜି ଏମାନେ ନ୍ୟାୟ କଥା କହୁଛନ୍ତି।

ମଣିପୁର ମାମଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ମୁହଁ ଖୋଲି କହିଲେ ଆମ ଗୃହମନ୍ତ୍ରୀ କହିଛନ୍ତି ଆମେ ପ୍ରସ୍ତୁତ ରହିଛୁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଏମାନଙ୍କ ପାଖରେ ପଚାରିବାକୁ କୌଣସି ପ୍ରଶ୍ନ ନଥିଲା। ଆମେ ପଳାୟନ କରିନଥିଲୁ, ଏମାନେ ପଳେଇ ଥିଲେ।

Tags: #NoConfidenceMotion #SmrutiIrani #RahulGandhi #LokSabha #Politics #IndianPolitics #ManipurCase #Congress #BJP

Comment