ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ଏଠାରେ କିଛି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

କ୍ୟାବିନେଟ ବୈଠକରେ ନୂଆ ଯୋଜନା ‘ନୂତନ ଉନ୍ନତ ଅଭିଳାଷ’ (ଏନୟୁଏ) ଓଡ଼ିଶାକୁ ମଞ୍ଜୁରୀ ମିଳିଛି। ଯୋଜନା ଅନ୍ତର୍ଗତ ଆସନ୍ତା ୩ ବର୍ଷ ଯାଏଁ ରାଜ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯିବ। ଏଥିରେ ଯୁବବର୍ଗଙ୍କ ପାଇଁ ନୂଆ ଦକ୍ଷତା ଏବଂ ଆଡ ଅନ ସ୍କିଲ ପାଠ୍ୟକ୍ରମ ରଖାଯିବ। ଏହା ସେମାନଙ୍କ ନିଯୁକ୍ତି ଦକ୍ଷତା ବଢ଼ାଇବା ସହ ରାଜ୍ୟରେ ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ। ଏଥିପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ବୈଠକରେ ରାଜ୍ୟରେ ବ୍ୟାଙ୍କ ଶାଖା ନଥିବା ୪ ହଜାର ୩୭୩ଟି ପଞ୍ଚାୟତରେ ସିଏପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ରାଜ୍ୟର ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କ ଓ ଆର୍ଥିକ ସେବା ମିଳିବାରେ ସୁବିଧା ହେବ।

ଅନ୍ୟପଟେ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଜଟଣୀ ସ୍ଥିତ ନାଇଜର ପରିସରରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ। ଟାଟା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏହି କ୍ୟାନ୍ସର ହସ୍ପିଟାଲର ନିର୍ମାଣ କରାଯିବ। ଏଥିପାଇଁ ୪୮.୮୪୨ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର।

ବୈଠକରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ ଓ ସତ୍ୟବାଦୀରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେହିପରି ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନାର ପ୍ରସ୍ତାବ ଉପରେ ମୋହର ବାଜିଛି।

ସେହିପରି ଶୁକ୍ରବାର କ୍ୟାବିନେଟ ବୈଠକରେ ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟ, ଜଳସମ୍ପଦ ଏବଂ ସମବାୟ ବିଭାଗ ସମ୍ପର୍କିତ ଅନେକ ନିଷ୍ପତ୍ତି ନିଆଯାଇଛି।

Tags: #OdishaCabinet #CabinetMeeting #CMOdisha #NaveenPatnaik

 

Comment