ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଶୁକ୍ରବାର ଦିନ ରିଲିଜ୍ ହୋଇଛି ୱେବସିରିଜ୍ ‘କମାଣ୍ଡୋ’। ଏହାର ଦିନକ ପରେ ‘କମାଣ୍ଡୋ’ ପ୍ରମୋସନ୍ ପାଇଁ ଭୁବନେଶ୍ଵରରେ ଆସି ପହଞ୍ଚିଛନ୍ତି ମୁଖ୍ୟ ଭୂମିକାରେ ଥିବା ଓଡ଼ିଆ ପୁଅ ପ୍ରେମ ପରିଜା। ପ୍ରଥମ ଓଡ଼ିଆ ଭାବେ ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ୱେବସିରିଜରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ଗୌରବ ହାସଲ କରିଛନ୍ତି ପ୍ରେମ।

‘‘ଲଞ୍ଚିଂ ଇଭେଣ୍ଟ୍ ପରେ ମୁଁ ଓ ବିପୁଲ ସାର୍ ଦେଶ ଲାଗି ଜୀବନ ଦେଇଥିବା ବୀର କମାଣ୍ଡୋମାନଙ୍କ ସ୍ମୃତି ବହନ କରୁଥିବା ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ମୁଁ ଯେଉଁ ସ୍ଥାନକୁ ଯାଉଛି, ମତେ ବହୁତ ଶ୍ରଦ୍ଧା ଓ ଆଶୀର୍ବାଦ ମିଳୁଛି। ଆଉ ମୋ ଜନ୍ମମାଟି ଓଡ଼ିଶାରେ ମଧ୍ୟ ମତେ ଢ଼େର ଭଲପାଇବା ମିଳିବ ବୋଲି ଆଶା କରୁଛି’’, କହିଛନ୍ତି ପ୍ରେମ ପରିଜା।

କିଛି ବର୍ଷ ମୁମ୍ବାଇରେ ରହି ଅଭିନୟ ପ୍ରଶିକ୍ଷଣ ନେବା ପରେ ବିଭିନ୍ନ ଚଳଚ୍ଚିତ୍ର ଏବଂ ସିରିଜରେ ସହକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ ପ୍ରେମ ପରିଜା। ଏହା ପରେ ବିପୁଲ୍ ଶାହଙ୍କ ‘କମାଣ୍ଡୋ’ ପାଇଁ ଅଡିସନ୍ ଦିଆଯାଉଥିବା ଖବର ପାଇ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ। ନିଜ ଅଭିନୟ ଦକ୍ଷତା ପାଇଁ ପ୍ରାୟ ୧୧ ହଜାର କଳାକାରଙ୍କୁ ପଛରେ ପକାଇ ‘କମାଣ୍ଡୋ’ର ମୁଖ୍ୟ ଚରିତ୍ର ପାଇଁ ମନୋନୀତ ହୋଇଥିଲେ ପ୍ରେମ।

“ଅଡିସନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଥିଲି। କିନ୍ତୁ ମତେ ଯେ ନିର୍ଦ୍ଦେଶକ ବାଛିବେ ମୁଁ ଭାବି ପାରୁନଥିଲି। ଶେଷରେ ମୁଁ ସଫଳ ହେଲି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହେଲା। ପିଲାଦିନେ ଟିଭି ସାମ୍ନାରେ ବସି ଘରେ କହୁଥିଲି ଦିନେ ମୁଁ ହିରୋ ହେବି। ଆଉ ଆଜି ମୋର ସେ ସ୍ଵପ୍ନ ସଫଳ ହୋଇଛି’’, କହିଛନ୍ତି ପ୍ରେମ ପରିଜା।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସହକାରୀ ନିର୍ଦେଶକରୁ କ୍ୟାରିୟର ଆରମ୍ଭ କରିଥିଲେ ପ୍ରେମ ପରିଜା। ହିନ୍ଦୀ ଚଳଚ୍ଚିତ୍ର ୱେଲକମ୍ ଟୁ କରାଚି, ସତ୍ୟମେବ ଜୟତେ, ବାଟଲା ହାଉସ ଆଦିରେ ସହକାରୀ ନିର୍ଦେଶକ ଭାବେ କାମ କରିଛନ୍ତି ସେ। ନେଟଫ୍ଲିକ୍ସ ସିରିଜ୍ ‘ସେନସ ୮’ ରେ ମଧ୍ୟ ସେ କାମ କରିଛନ୍ତି।

“ଅନେକ ବରିଷ୍ଠ କଳାକାରଙ୍କ ସହ କାମ କରିବା ସମୟରେ ସେମାନଙ୍କ ଭଲ ଅଭ୍ୟାସକୁ ଅନୁକରଣ କରେ। ନିଜ ପାଇଁ ଦୈନନ୍ଦିନ ତାଲିକା ପ୍ରସ୍ତୁତ କରି ତାକୁ ଫଲୋ କରେ”, କହନ୍ତି ପ୍ରେମ।

ଅଭିନୟ କ୍ଷେତ୍ରରେ ପାଦ ରଖିଥିବା ପ୍ରେମ ପରିଜା ନିଜର ପ୍ରଥମ ବଡ଼ ସଫଳତା ବିଷୟରେ କହିଛନ୍ତି, ‘‘ମୁଁ ଏହି ୱେବସିରିଜରେ ଜଣେ କମାଣ୍ଡୋର ଭୂମିକା ତୁଲାଇଛି। କମାଣ୍ଡୋମାନେ କୌଣସି ଅପରେସନରେ ଥିବା ବେଳେ କିପରି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଅତ୍ୟନ୍ତ କଷ୍ଟସାଧ୍ୟ ମନେ ହେଉଥିବା କାମକୁ ନିଜ ଦକ୍ଷତା ବଳରେ ସଫଳ କରନ୍ତି। ସେଭଳି ଏକ ଚରିତ୍ରର ଉଚିତ ରୂପାୟନ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ବଡ଼ ଚ୍ୟାଲେଞ୍ଜ ଥିଲା। ତେଣୁ ଏଭଳି ଏକ ଚରିତ୍ରକୁ ଦର୍ଶକଙ୍କ ନିକଟରେ ବାସ୍ତବ ଭାବେ ତୋଳି ଧରିବା ଲାଗି ମୁଁ ଶତପ୍ରତିଶତ ପ୍ରଚେଷ୍ଟା କରିଛି। ଏଥିପାଇଁ ୨୦୨୦ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲି।

ଏହି ୱେବସିରିଜର ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବିପୁଲ୍ ଅମୃତଲାଲ ଶାହ। ଅଦା ଶର୍ମା, ଅମିତ ସିଆଲ, ତିଗମାଂଶୁ ଧୁଲିଆ, ମୁକେଶ ଛାବ୍ରା ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ।

୨୦୧୩ ମସିହାରେ ପ୍ରଥମେ ‘କମାଣ୍ଡୋ’ ଫ୍ରାଞ୍ଚାଇଜ ଆରମ୍ଭ ହୋଇଥିଲା। ପ୍ରଥମ ସିରିଜ୍ ‘କମାଣ୍ଡୋ-ଏ ୱାନ୍ ମ୍ୟାନ୍ ଆର୍ମି’ରେ ବିଦ୍ୟୁତ୍ ଜମଓ୍ୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପ୍ରାୟ ୧୦ ବର୍ଷ ଧରି ‘କମାଣ୍ଡୋ’ର ବିଭିନ୍ନ ସଂସ୍କରଣ ଆକ୍ସନ ପ୍ରେମୀ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହି ଆସିଛି।

Tags: #Commando #WebSeries #PremParija #Actor

LEAVE A REPLY

Please enter your comment!
Please enter your name here