ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୩ ଏବେ ଧୀରେ ଧୀରେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍‌ ଏହାର ପ୍ରପଲ୍ସନ ମଡ୍ୟୁଲରୁ ଅଲଗା ହୋଇଛି। ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ନିଜର ଶେଷ ପର୍ଯ୍ୟାୟ ଆରମ୍ଭ କରିଛି। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରପଲ୍ସନ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡରଟି ଏବେ ଚନ୍ଦ୍ର ପୃଷ୍ଠ ଆଡ଼କୁ ଗତି କରୁଛି। ଏହାର ବେଗ ହ୍ରାସ ପାଉଛି। ଶୁକ୍ରବାର ଅପରାହ୍ଣ ୪ଟା ବେଳେ ଏହା ଚନ୍ଦ୍ରର ନିମ୍ନ କକ୍ଷ ପଥକୁ ଯିବ। ଚନ୍ଦ୍ରରୁ ଏହି କକ୍ଷର ସର୍ବନିମ୍ନ ଦୂରତା ୩୦ କିଲୋମିଟର ରହିବ।

ଲ୍ୟାଣ୍ଡରର ଅବତରଣ ପାଇଁ ଇସ୍ରୋ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ଅଞ୍ଚଳକୁ ଚୟନ କରାଯାଇଛି। ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ଉକ୍ତ ଅଞ୍ଚଳରେ ସଫ୍ଟ ଲାଣ୍ଡିଂ କରିବାର ଯୋଜନା ରହିଛି।

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ପୃଥିବୀ ଚାରିପଟେ ୫ଟି ଅଣ୍ଡାକାର କକ୍ଷ (ଇଲିପ୍ଟିକାଲ ଅର୍ବିଟ)ରେ ଘୂରିଥିଲା। ଯାହାର ପୃଥିବୀଠାରୁ ସର୍ବନିମ୍ନ ଦୂରତା ୨୩୬ କିଲୋମିଟର ଏବଂ ସର୍ବାଧିକ ଦୂରତା ୧ ଲକ୍ଷ ୨୭ ହଜାର ୬୦୩ କିଲୋମିଟର ଥିଲା। ଅଗଷ୍ଟ ୧ ତାରିଖରେ ଏହା ପୃଥିବୀର କକ୍ଷ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା କରିଥିଲା।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

 

Comment