ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଭାରତର ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ରହିଛି। ଏହି ଦୁଇ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ଭୂସ୍ଖଳନର ବିଧ୍ଵଂସ ଦେଖିବାକୁ ମିଳିଛି। ଏଥିରେ ଉଭୟ ରାଜ୍ୟରେ ୪ ଦିନ ମଧ୍ୟରେ ୮୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଲୋକ ନିଖୋଜ ଅଛନ୍ତି।

ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶରେ ସବୁଠାରୁ ବେଶି କ୍ଷୟକ୍ଷତି ହୋଇଛି। କେବଳ ହିମାଚଳରେ ୭୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟର ସିମଲା, ସୋଲନ ଏବଂ କାଙ୍ଗଡ଼ା ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ସିମଲାର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନରେ ଅନେକ ଘର ଭୁଶୁଡ଼ିଯାଇଛି।

ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ପାହାଡ଼ରୁ ମାଟିଅତଡ଼ା ଓ ପଥର ଖସି ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଅନେକ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ପଡ଼ିଯାଇଛି। ଏହାସହ ପ୍ରାୟ ୫ ହାଜରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂସ୍ଖଳନରେ ଋଷିକେଶ-ବଦ୍ରିନାଥ ହାଇୱେର କିଛି ଅଂଶ କ୍ଷୟ ହୋଇଯାଇଥିବାରୁ ଏଥିରେ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି ଅନ୍ୟାନ୍ୟ କେତେକ ରାସ୍ତା ମଧ୍ୟ ବନ୍ଦ ହୋଇଥିବାରୁ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି।

ଅନ୍ୟପଟେ ହିମାଚଳ ପ୍ରଦେଶରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି।

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ସେନା, ଏନଡିଆରଏଫ ଓ ଏସଡିଆରଏଫର ଶତାଧିକ ଯବାନ ମୁତୟନ ହୋଇଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନକୁ ଶନିବାର ଯାଏଁ ବନ୍ଦ ରଖାଯାଇଛି।

Tags: #HimachalPradesh #Uttarakhand #HeavyRainfall #Landslide #NaturalDisaster

 

Comment