ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଆୟର୍ଲାଣ୍ଡ୍‌ ଟି-ଟ୍ୱେଣ୍ଟି ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବ ଟିମ ଇଣ୍ଡିଆ। ଏହି ସିରିଜରେ ଜରିଆରେ ସେ ଦୀର୍ଘ ୧୧ ମାସପରେ ଦଳକୁ ଫେରିବେ। ଏହି ସିରିଜ ପାଇଁ ଦଳରେ ସମ୍ପୂର୍ଣ୍ଣ ଭାବେ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି।

ଆୟର୍ଲାଣ୍ଡ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଋତୁରାଜ ଗାଏକ୍ୱାଡ୍‌ ଭାରତୀୟ ଦଳର ଉପଅଧିନାୟକ ରହିବେ। ଏହାସହ ଟିମରେ ଯଶସ୍ଵୀ ଜୟସ୍ଵାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ୍‌, ଶିଭମ ଦୁବେ ଓ ଜିତେଶ ଶର୍ମାଙ୍କ ଭଳି ଉଦୀୟମାନ କ୍ରିକେଟରଙ୍କୁ ସାମିଲ କରାଯାଇଛି। ସେହିପରି ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆୱେସ ଖାନଙ୍କ ଭଳି ଯୁବ ବୋଲରମାନେ ଦଳରେ ସ୍ଥାନ ପାଇଛନ୍ତି।

ଏହି ସିରିଜରେ ବିରାଟ କୋହଲୀ, ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ତରକା ଖେଳାଳିମାନଙ୍କୁ ଆରାମ ଦିଆଯାଇଛି। ସିରିଜ ଜରିଆରେ ଆଗକୁ ଆସୁଥିବା ଏସିଆନ ଗେମ୍ସ ଓ କ୍ରିକେଟ ବିଶ୍ଵକପ ପାଇଁ ନୂଆ ଖେଳାଳିଙ୍କ ଚୟନର ସୁଯୋଗ ରହିବ। ଏହାସହ ଆଗକୁ ଆସୁଥିବା ମେଗା ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଖେଳାଳିଙ୍କ ଫିଟନେସର ପରୀକ୍ଷା ମଧ୍ୟ ହେବ।

ଆୟର୍ଲାଣ୍ଡ୍‌ ବିପକ୍ଷ ମ୍ୟାଚଗୁଡ଼ିକରେ ଯଶପ୍ରୀତ ବୁମରାଙ୍କ ରଣ କୌଶଳ ଓ ନେତୃତ୍ଵକୁ ନେଇ ଏବେ ଆଲୋଚନା ଜାରି ରହିଛି। ୨୦୨୨ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସେ ଆହତ ହୋଇ କ୍ରିକେଟଠାରୁ ଦୂରେଇ ରହିଥିଲେ। ଏବେ ଭଲ ହେବା ପରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି।

ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୩ଟି ମ୍ୟାଚ ଖେଳିବ। ଅଗଷ୍ଟ ୧୮, ୨୦ ଓ ୨୩ ତାରିଖରେ ଆୟର୍ଲାଣ୍ଡ୍‌ର ଡବଲିନରେ ଏହି ମ୍ୟାଚଗୁଡ଼ିକ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳ ଆରମ୍ଭ ହେବ।

Tags: #IndiavsIreland #T-20Series #Cricket #JaspritBumrah #BCCI

Comment