ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ର ପୃଷ୍ଠରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ମୂହୁର୍ତ୍ତର ଅପେକ୍ଷା। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏହି ଲ୍ୟାଣ୍ଡିଂ ପୂର୍ବରୁ ସୋମବାର ଦିନ ଚନ୍ଦ୍ରଯାନର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ସୁନ୍ଦର ଫଟୋ ଉଠାଇଛି। ଏନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି।

ଚନ୍ଦ୍ରର ଯେଉଁ ଭାଗ ପୃଥିବୀକୁ ଦୃଶ୍ୟ ହୁଏ ନାହଁ ସେହି ଭାଗର ସୁନ୍ଦର ଫଟୋ ଉଠାଇଛି ଚନ୍ଦ୍ରଯାନ-୩। ଏହି ଫଟୋଗୁଡ଼ିକରେ ଚନ୍ଦ୍ର ପୃଷ୍ଠରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗାତ ଥିବା ଦେଖିବାକୁ ମିଳିଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଲାଗିଥିବା ‘ଏଲପିଡିସି’ କ୍ୟାମେରା ଦ୍ଵାରା ଏହି ଫଟୋ ସବୁ ଉଠାଯାଇଛି।

ସେହିପରି ଚନ୍ଦ୍ରର ଦକ୍ଷିଣ ମେରୁରେ ଯେଉଁଠି ଲ୍ୟାଣ୍ଡିଂ ହେବ ଇସ୍ରୋ ପକ୍ଷରୁ ସେହି ସ୍ଥାନକୁ ଚିହ୍ନଟ କରା ସରିଛି। ସଫଳ ଅବତରଣ ପାଇଁ ଚନ୍ଦ୍ରଯାନ-୩ରେ ସବୁ ପ୍ରକାର ଉପକରଣ ଖଞ୍ଜାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି।

ଅନ୍ୟପଟେ ସିଗନାଲ୍ ତ୍ରୁଟି ଯୋଗୁଁ ଅସଫଳ ହୋଇଥିବା ଚନ୍ଦ୍ରଯାନ-୨ ମିଶନକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ତମ ଯୋଗାଯୋଗ ପାଇଁ ଏଥିରେ ୧୪ଟି କମ୍ୟୁନିକେସନ ଆଣ୍ଟିନା ଲଗାଯାଇଛି।

ଏବେ ଚନ୍ଦ୍ରଯାନ-୩ ନିଜର ସବୁ ପ୍ରକ୍ରିୟା ଶେଷ କରି ଚନ୍ଦ୍ରର ନିମ୍ନ କକ୍ଷକୁ ଯାଇସାରିଛି। ଏଥିପାଇଁ ରବିବାର ସକାଳେ ଦ୍ଵିତୀୟ ତଥା ଚୂଡ଼ାନ୍ତ ବେଗହ୍ରାସ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ପୃଥିବୀ ଚାରିପଟେ ୫ଟି ଅଣ୍ଡାକାର କକ୍ଷ (ଇଲିପ୍ଟିକାଲ ଅର୍ବିଟ)ରେ ଘୂରିଥିଲା। ଯାହାର ପୃଥିବୀଠାରୁ ସର୍ବନିମ୍ନ ଦୂରତା ୨୩୬ କିଲୋମିଟର ଏବଂ ସର୍ବାଧିକ ଦୂରତା ୧ ଲକ୍ଷ ୨୭ ହଜାର ୬୦୩ କିଲୋମିଟର ଥିଲା। ଅଗଷ୍ଟ ୧ ତାରିଖରେ ଏହା ପୃଥିବୀର କକ୍ଷ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା କରିଥିଲା।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

Comment