ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ଐତିହାସିକ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ ଚନ୍ଦ୍ରଯାନ-୩ ଅବତରଣ କରିବାର ଶେଷ ୨୦ ମିନିଟ ନିର୍ଣ୍ଣାୟକ ହେବ। ଏହା ଉପରେ ମିଶନର ସବୁ ସଫଳତା ନିର୍ଭର କରୁଛି। ଏହାକୁ ନେଇ ଇସ୍ରୋ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବେ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ବେଗରେ ଚନ୍ଦ୍ରର ପରିକ୍ରମା କରୁଛି। ଅବତରଣବେଳେ ଏହା ନିଜର ବେଗକୁ ମନ୍ଥର କରିବ। ଏହା ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଯଦି ବେଗ ହ୍ରାସ ନପାଇବ, ତେବେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିପାରିବନାହିଁ।

ଲ୍ୟାଣ୍ଡିଂ ପୂର୍ବରୁ ଚନ୍ଦ୍ରଯାନ-୩ ଚନ୍ଦ୍ରର ସୁନ୍ଦର ଭିଡିଓ ପଠାଇଛି। ଏଥିରେ ଚନ୍ଦ୍ରର ଲ୍ୟାଣ୍ଡିଂ ସାଇଟର କିଛି ଅଞ୍ଚଳ ଦେଖିବାକୁ ମିଳିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରେ ଲାଗିଥିବା ‘ଏଲପିଡିସି’ କ୍ୟାମେରା ଦ୍ଵାରା ଏହି ଭିଡିଓ ସବୁକୁ ରେକର୍ଡ ଯାଇଛି।

ସଫଳ ଅବତରଣ ପାଇଁ ଚନ୍ଦ୍ରଯାନ-୩ରେ ସବୁ ପ୍ରକାର ଉପକରଣ ଖଞ୍ଜାଯାଇଛି। ସୋମବାର ଚନ୍ଦ୍ରଯାନ-୩ ପୂର୍ବରୁ ଚନ୍ଦ୍ରକୁ ପରିକ୍ରମା କରୁଥିବା ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିଥିଲା। ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩କୁ ଲ୍ୟାଣ୍ଡିଂ ବେଳେ ସହାୟତା କରିବ।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି। ଯଦି କୌଣସି କାରଣରୁ ବୁଧବାର ଲ୍ୟାଣ୍ଡିଂ ନହୁଏ, ତେବେ ଅଗଷ୍ଟ ୨୭ରେ ଅବତରଣ ପାଇଁ ବିକଳ୍ପ ଯୋଜନା କରିଛି ଇସ୍ରୋ।

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ପୃଥିବୀ ଚାରିପଟେ ୫ଟି ଅଣ୍ଡାକାର କକ୍ଷରେ (ଇଲିପ୍ଟିକାଲ ଅର୍ବିଟ) ଘୂରିଥିଲା। ଏହାପରେ ଅଗଷ୍ଟ ୧ ତାରିଖରେ ଏହା ପୃଥିବୀର କକ୍ଷ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା କରିଥିଲା।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

Comment