ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାକାଶ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଏହାର ସଫଳତା ପାଇଁ ସବୁ ଦେଶବାସୀ କାମନା କରୁଛନ୍ତି। ସମସ୍ତେ ସେହି ମୂହୁର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମିଶନକୁ ସଫଳତାର ସହ ପ୍ରତିପାଦନ କରିବାପାଇଁ ଚଳଚଞ୍ଚଳ ହୋଇଛି ଇସ୍ରୋର ବେଙ୍ଗାଳୁରୁ ସ୍ଥିତ ମିଶନ କଣ୍ଟ୍ରୋଲ ସେଣ୍ଟର। ଏଥିପାଇଁ ଇସ୍ରୋ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩। ଏଥିପାଇଁ ଅପରାହ୍ନ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ଧୀରେ ଧୀରେ ନିଜର ବେଗ ହ୍ରାସ କରି ଚନ୍ଦ୍ରପୃଷ୍ଠ ଆଡ଼କୁ ଯିବ।

ବର୍ତ୍ତମାନ ଚନ୍ଦ୍ରଯାନ-୩ ନିଜର ଶେଷ ପର୍ଯ୍ୟାୟରେ ରହିଛି। ଏପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଚନ୍ଦ୍ରଯାନ ନିଜର ପୂର୍ବ ନିର୍ଦ୍ଧାରିତ ସବୁ ପାରାମିଟରକୁ ସଫଳତାର ସହ ପ୍ରତିପାଦନ କରିଛି।

ଅନ୍ୟପଟେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତରେ ଲୋକେ କେଉଁଠି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ତ କେଉଁଠି ନମାଜ ପଢ଼ୁଛନ୍ତି। ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଏହି ମିଶନର ସଫଳତା କାମନା କରୁଛନ୍ତି। ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମିଶନକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ସମସ୍ତେ ଇସ୍ରୋକୁ ନିଜ ତରଫରୁ ମିଶନର ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି।

ସେହିପରି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ନୀଳାଦ୍ରୀ ବେଳାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି। ଏହି ବାଲୁକା କଳାରେ ଚନ୍ଦ୍ରଯାନ-୩ କିଭଳି ଚନ୍ଦ୍ରରେ ଅବତରଣ କରିବ, ତାହାକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।

Tags: #Chandrayaan-3 #MoonMission #MoonLanding #SpaceExploration #ISRO

 

Comment