ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଚନ୍ଦ୍ରଯାନ-୩। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଏହି ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଭିତରୁ ରୋଭର ବାହାରକୁ ଆସି ଏବେ ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିଛି। ଉଭୟ ଲ୍ୟାଣ୍ଡର ଓ ରୋଭର ୧୪ ଦିନ ଯାଏଁ କାର୍ଯ୍ୟ କରିବେ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରରେ ଅବତରଣ କରିବାର କିଛି ସମୟପରେ ଏହାର ଲ୍ୟାଣ୍ଡରର ରାମ୍ପ ଖୋଲିଥିଲା। ଏହି ରାମ୍ପ ଦେଇ ରୋଭରଟି ବାହାରକୁ ଆସିଥିଲା। ବାହାରକୁ ଆସିବାପରେ ରୋଭର ସୋଲାର ପ୍ୟାନେଲ୍ ମାଧ୍ୟମରେ ନିଜର ବ୍ୟାଟେରିକୁ ଚାର୍ଜ କରିଥିଲା। ଏହାପରେ ରୋଭର ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିଛି। ଏହାର ଫଟୋ ଇସ୍ରୋକୁ ମିଳିଛି।

ସେହିପରି ଲ୍ୟାଣ୍ଡରର ରାମ୍ପ ଖୋଲିବା ପୂର୍ବରୁ ସେଥିରେ ଲାଗିଥିବା ସବୁ ବୈଜ୍ଞାନିକ ଉପକରଣର ଯାଞ୍ଚ କରାଯାଇଥିଲା। ପ୍ରାୟ ୪୦ ଦିନ ଧରି ମହାକାଶରେ ରହିବାପରେ ଏହି ସବୁ ଯନ୍ତ୍ରାଂଶ ଠିକରେ କାମ କରୁଛି କି ନାହିଁ ଇସ୍ରୋ ବୈଜ୍ଞାନିକମାନେ ତାହାର ସମୀକ୍ଷା କରିଥିଲେ।

ଏବେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ଯାଏଁ ଉଭୟ ଲ୍ୟାଣ୍ଡର ଓ ରୋଭର ମାଧ୍ୟମରେ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯିବ। ଏଥିରୁ ହାସଲ ହୋଇଥିବା ତଥ୍ୟ ଓ ରିପୋର୍ଟକୁ ଇସ୍ରୋ ବୈଜ୍ଞାନିକମାନେ ହାସଲ କରିବେ।

ଚନ୍ଦ୍ରଯାନ-୩ ପାଇଁ ଆସନ୍ତା ୧୪ ଦିନ ବହୁ ଗୁରୁତ୍ଵପୂର୍ଣ୍ଣ ରହିବ। କାରଣ ଅବତରଣ ସ୍ଥଳରେ ୧୪ ଦିନ ଯାଏଁ ହିଁ ସ୍ଥାନରେ ସୂର୍ଯ୍ୟ କିରଣ ପଡ଼ିବ। ଏହାପରେ ଲ୍ୟାଣ୍ଡର ଓ ରୋଭର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବେ। ଏହି ମିଶନରୁ ହାସଲ ହୋଇଥିବା ତଥ୍ୟ ବୈଜ୍ଞାନିକମାନଙ୍କୁ ଚନ୍ଦ୍ରର ଅଧିକ ଗବେଷଣା କରିବା ପାଇଁ ସହାୟକ ହେବ।

Tags: #Chandrayaan-3 #MoonMission #SoftLanding #SpaceExploration #MoonExperiment #ISRO

 

Comment